ନୂଆଦିଲ୍ଲୀ ୧୨।୧୧:ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମସ୍)ଙ୍କ ପୂର୍ବତନ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ୩୦ରୁ ଅଧିକ ବର୍ଷ ସେବା ପରେ ସ୍ୱେଛାକୃତ ଅବସର (ଭିଆରଏସ୍) ଘୋଷଣା କରିଛନ୍ତି। ଏମସ୍ ନିର୍ଦ୍ଦେଶକ ଭାବେ ତାଙ୍କ ସାଢେ ୫ ବର୍ଷର କାର୍ଯ୍ୟକାଳ ଗତ ସେପ୍ଟେମ୍ବର ମାସରେ ସମାପ୍ତ ହୋଇଥିଲା। ଏହା ପରେ ସେ ଭିଆରଏସ୍ ଲାଗି ଆବେଦନ କରିଥିଲେ। ତାଙ୍କ ଆବେଦନକୁ ମଞ୍ଜୁର କରାଯାଇଛି। ଡା. ଗୁଲେରିଆଙ୍କ ସରକାରୀ ନିଯୁକ୍ତି କାର୍ଯ୍ୟକାଳ ଏପ୍ରିଲ ୨୦୨୪ ଥିଲା।
ଦେଶରେ କୋଭିଡ-୧୯ ଚରମ ସୀମାରେ ପହଞ୍ଚିବା କାଳରେ ଡା. ଗୁଲେରିଆ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟାର ନେତୃତ୍ୱ ନେଇଥିଲେ। ଏହା ଛଡା ମହାମାରୀ ପ୍ରସାର ରୋକିବା ଲାଗି ଜନସଚେତନତା କାର୍ଯ୍ୟକ୍ରମର ମଧ୍ୟ ନେତୃତ୍ୱ ନେଇଥିଲେ। ଦିଲ୍ଲୀ ଏମସ୍ର ଚିକିତ୍ସା ବିଭାଗରେ ଡା. ଗୁଲେରିଆ ୧୯୯୨ ମସିହାରେ ସହାୟକ ପ୍ରଫେସର ଭାବେ ଯୋଗ ଦେଇଥିଲେ। ୨୦୧୧ ମସିହାରେ ସେ ପଲ୍ମନାରୀ, କ୍ରିଟିକାଲ କେୟାର ଓ ସ୍ଲିପ୍ ଚିକିତ୍ସା ବିଭାଗର ଗଠନ କରିଥିଲେ। ୨୮ ମାର୍ଚ୍ଚ ୨୦୧୭ ମସିହାରେ ସେ ୫ ବର୍ଷ ନିମନ୍ତେ ଏମସ୍ର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ।
ଦିଲ୍ଲୀ ଏମସ୍ର ନିର୍ଦ୍ଦେଶକ ଭାବେ ତାଙ୍କର କାର୍ଯ୍ୟକାଳ ୨୪ମାର୍ଚ୍ଚ ୨୦୨୨ରେ ସମାପ୍ତ ହୋଇଥିଲା। ତେବେ ସରକାର ତାଙ୍କ କାର୍ଯ୍ୟକାଳକୁ ୨ ଥରରେ ୬ ମାସ ସମ୍ପ୍ରସାରଣ କରିଥିଲେ। ଫଳରେ ଏମସ୍ ନିର୍ଦ୍ଦେଶକ ଭାବେ ଡା. ଗୁଲେରିଆ ସାଢେ ୫ ବର୍ଷ କାର୍ଯ୍ୟ କରିଛନ୍ତି। ଏପ୍ରିଲ ୨୦୨୪ରେ ତାଙ୍କର ସେବା ନିବୃତ୍ତି ହେବା କଥା। ତେବେ ଏମସ୍ ନିର୍ଦ୍ଦେଶକ ପଦରୁ ଅବ୍ୟହତି ନେବା ପରେ ସେବାରୁ ସ୍ୱେଛାକୃତ ଅବସର ନେଇଛନ୍ତି।