ଭୁଲା ମନକୁ ବଡ଼ ପୁରସ୍କାର ; ଲଟେରି ଟିକେଟ୍‌ କିଣି ଭୁଲି ଯାଇଥିଲେ, ମନେ ପଡ଼ିଗଲା ପରେ ବଦଳିଗଲା ଭାଗ୍ୟ

Published By : Prameya-News7 Bureau | March 24, 2022 IST

ନୂଆଦିଲ୍ଲୀ ୨୪/୦୩ : ଭାଗ୍ୟ କାହାର କେତେବେଳେ ଖୋଲିବ ସେ କଥା କିଏ ବା କହିବ।  ରାତାରାତି କୋଟିପତି ହେବାର ଅନେକ କାହାଣୀ ଶୁଣିଥିବେ। କିନ୍ତୁ   ଏହା କାହାଣୀ ନୁହେଁ। କାହାଣୀ ଭଳି କିନ୍ତୁ ସତ ଘଟଣା। ବନ୍ଦ ଆଲମିରାରେ ରହିଯାଇଥିଲା ଭାଗ୍ୟ। ମନେ ପଡ଼ୁନଥିଲା । କିନ୍ତୁ ହଠାତ ଦିନେ ଖୋଲିଗଲା ବନ୍ଦ୍‌ କବାଟ। ବଦଳିଗଲା ଭାଗ୍ୟ। ଭୁଲିଯାଇଥିବା ଲଟେରୀ ଟିକେଟ୍ କରାଇଦେଲା କୋଟିପତି। ସୁପରଧନୀ ପାଲଟିଗଲେ  ଆମେରିକୀୟ ବ୍ୟକ୍ତି ଜଣକ।  ସେ ହୋଇଗଲେ ୮.୯ ମିଲିୟନ୍ ଡଲାର୍ ମାଲିକ।

ଆମେରିକାର ଓରେଗନ୍ ବାସୀନ୍ଦା ୱିଲବର୍ ବ୍ରାଉନ୍। ସେ ଗତ ଖ୍ରୀଷ୍ଟମାସ ଅବସରରେ ସ୍ପ୍ରିଙ୍ଗଫିଲ୍ଡର ମୋଜ୍ ଲଜରେ ମେଗାବାକ୍ସ ଲଟେରୀ ଟିକେଟ କିଣିଥିଲେ। ୨୫ ଡଲାରର ଲଟେରି କିନ୍ତୁ ପୁରସ୍କାର ଥିଲା ୮.୯ ମିଲିୟନ ଡଲାର। କିଛି ସପ୍ତାହରେ ଥିଲା ଉଠାଣ ତାରିଖ। କିନ୍ତୁ ଟିକେଟକୁ ସାଇତିଥିଲେ ବି ଲଟେରି ଉଠାଇବା କଥା ଭୁଲି ଯାଇଥିଲେ ବ୍ରାଉନ୍।   ଫଳରେ ଉଠାଣ ସରିଥିଲା କିନ୍ତୁ ସେ ଲଟେରି ଜିତିଥିବା କଥା ଜାଣିନଥିଲେ।

 ଏହାରି ଭିତରେ ପାଖାପାଖି ୨ ମାସ ପଳାଇଥିଲା। ପୁଣି ଫେବୃଆରୀରେ ବ୍ରାଉନ୍ ଆଉ ଥରେ ମୋଜ୍ ଲଜ୍ ପରିଦର୍ଶନ ଆସିଥିଲେ । ସେତେବେଳେ ତାଙ୍କର ଲଟେରି ଟିକେଟ୍ କଥା ମନେପଡ଼ିଯାଇଥିଲା। ବହୁତ ଡେରି ହୋଇଯାଇଥିବାରୁ ବ୍ରାଉନଙ୍କର ସେଭଲି କିଛି ଆସା ନଥିଲା। କିନ୍ତୁ ତାଙ୍କ ଭାଗ୍ୟ ଥିଲା ଅଲଗା। ଲଜରେ ସର୍ଭର ଦ୍ୱାରା ନିଜ ଟିକେଟକୁ ସ୍କାନ୍ କରିବା ପରେ ସେ ହୋଇଯାଇଥିଲେ ଆଶ୍ଚର୍ଯ୍ୟ । ହଠାତ ବିଶ୍ୱାସ କରି ପାରିନଥିଲେ। କିନ୍ତୁ ସେ ଜିତିଥିଲେ ବଡ଼ ଆମାଉଣ୍ଟର ଲଟେରୀ ।

ବ୍ରାଉନ୍ ଏବଂ ତାଙ୍କ ସାଙ୍ଗମାନେ  ପରେ ଏହାର ଅନଲାଇନ୍ ଯାଞ୍ଚ କରିଥିଲେ।  ଜାଣିବାକୁ ପାଇଲେ ଯେ ସେ ୮.୯ ମିଲିୟନ୍ ଡଲାରର ଜ୍ୟାକପଟ୍ ଜିତିଛନ୍ତି। ଓରେଗନ୍ ଲଟେରୀ ଅନୁଯାୟୀ ବ୍ରାଉନଙ୍କର ଲକି ନଂ ଥିଲା ୧୫, ୩୩, ୩୪, ୪୦, ୪୨, ଏବଂ ୪୭ । ଆଉ ଏହି ଲକି ନଂ ବ୍ରାଉନ୍ ଙ୍କୁ କରିଦେଇଥିଲା ମିଲିୟୋନେଆର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.