ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ସଂପନ୍ନ ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଘରୋଇ ଭାରତକୁ ୮ ଓ୍ଵିକେଟ୍ ପରାସ୍ତ କରିଛି। ଏଥିସହ ୩୬ ବର୍ଷ ପରେ କିଓ୍ଵି ଦଳ ପ୍ରଥମ ଥର ଭାରତ ମାଟିରେ ଟେଷ୍ଟ ଜିତିବାରେ ସଫଳ ହୋଇଛି। ମ୍ୟାଚ୍ ସରିବା ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସର ସେହି ତିନି ଘଣ୍ଟା ଭୁଲି ଯାଆନ୍ତୁ। ୪୬ ରନରେ ଅଲଆଉଟ୍ ହେବା ଦଳର ଖେଳାଳିଙ୍କ ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ। ଗୋଟିଏ ଇନିଂସ ଆଧାରରେ ଖେଳାଳିଙ୍କ ବିଷୟରେ କୌଣସି ନିର୍ଣ୍ଣୟ ନେବା ଅନୁଚିତ୍। ଦଳ ଦ୍ଵିତୀୟ ଇନିଂସରେ ଦମଦାର ପ୍ରଦର୍ଶନ କରି ୪୬୨ ରନ କରିଥିଲା। ଗୋଟିଏ ଖରାପ ସେସନ ଦଳର କ୍ଷମତା ସ୍ଥିର କରି ନ ଥାଏ।
ରୋହିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସତ କହିବାକୁ ଗଲେ ମୁଁ ଏହି ଟେଷ୍ଟ ମ୍ୟାଚ୍ ଉପରେ ଅଧିକ ଧ୍ୟାନ ଦେବାକୁ ଚାହୁଁ ନାହିଁ। କାରଣ ସେହି ତିନି ଘଣ୍ଟା ଏହା ସ୍ଥିର କରିବ ନାହିଁ ଯେ, ଆମ ଦଳ କେମିତି। ଦଳରେ ସର୍ବଦା ସକରାତ୍ମକ ମାହୋଲ ବଜାୟ ରଖିବା ଜରୁରୀ। ଦ୍ଵିତୀୟ ଇନିଂସରେ ଭଲ ବ୍ୟାଟିଂ କରି ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ କରିବାର ଏକ ଦ୍ଵାର ଖୋଲି ପାରିଥିଲୁ। ଆମେ ଟେଷ୍ଟ ହାରିଥିଲେ ହେଁ ମୋତେ ଲାଗୁଛି ମ୍ୟାଚ୍ରେ ବହୁତ କିଛି ସକରାତ୍ମକ ଜିନିଷ ଶିଖିବାକୁ ପାଇଲୁ।
Also read: ବେଙ୍ଗାଲୁରୁ ଟେଷ୍ଟ; ୮ ଓ୍ବିକେଟରେ ନ୍ୟୁଜିଲାଣ୍ଡ ବିଜୟୀ, ସଂଘର୍ଷ କରି ଶେଷରେ ହାରିଲା ଭାରତ
ଭାରତୀୟ ଅଧିନାୟକ ସ୍ଵୀକାର କରିଛନ୍ତି ଯେ, କିଛି ଭୁଲ ତାଙ୍କ ଦ୍ଵାରା ହୋଇଛି। ଆଗାମୀ ମ୍ୟାଚ୍କୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। ଯେଉଁ ଛୋଟ ଛୋଟ ତ୍ରୁଟି କରିଛୁ ତାର ପରିଣାମ ଭୋଗିଲୁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ସବୁ କିଛି ସମାପ୍ତ ହୋଇଗଲା। ଆମେ ପୂର୍ବରୁ ମଧ୍ୟ ଏମିତି ମ୍ୟାଚ୍ ହାରି ସାରିଛୁ ଏବଂ ପ୍ରତ୍ୟାବର୍ତ୍ତନ ବି କରିଛୁ। ଏଥିପାଇଁ ଆମେ ଏହି ଟେଷ୍ଟ ମ୍ୟାଚ୍ ବିଷୟରେ ଅଧିକ ଚିନ୍ତା ନ କରିବାକୁ ଚେଷ୍ଟା କରୁଛୁ। ଦଳର ପୂରା ଧ୍ୟାନ ଅକ୍ଟୋବର ୨୪ରୁ ପୁଣେରେ ଆରମ୍ଭ ହେବାକୁ ଥିବା ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଉପରେ ରହିଛି।
ରୋହିତ କହିଛନ୍ତି ଗୋଟିଏ ପରାଜୟରେ ଟେଷ୍ଟ କ୍ରିକେଟ୍ ପ୍ରତି ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ବଦଳିବ ନାହିଁ। ଆମେ ଗୋଟିଏ ମ୍ୟାଚ୍ କିମ୍ବା ଗୋଟିଏ ସିରିଜ୍ ଆଧାରରେ ନିଜର ମାନସିକତା ବଦଳିବ ନାହିଁ। ଆମେ ଟେଷ୍ଟ ମ୍ୟାଚ୍ ହାରିବା ଡରରେ ନିଜର ମାନସିକତା ବଦଳାଇ ପାରିବୁ ନାହିଁ। ଆମେ ପ୍ରତିଦ୍ଵନ୍ଦ୍ଵିତ୍ଵଙ୍କୁ ଏହି ସନ୍ଦେଶ ଦେବାକୁ ଚାହୁଁ ଯେ, ଆମେ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ।