ଦେଶର ଅର୍ଥନୀତି ପାଇଁ ଅଶୁଭ ଖବର, ଦୁଇ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଲା ବିଦେଶୀ ମୁଦ୍ରା ଭଣ୍ଡାର

Published By : Prameya-News7 Bureau | August 27, 2022 IST

ନୂଆଦିଲ୍ଲୀ: ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଦୁଇ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ସଦ୍ୟ ଡାଟା ଅନୁସାରେ, ଅଗଷ୍ଟ ୧୯ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ର ଭଣ୍ଡାର ୬.୬୮୭ ବିଲିୟନ ଡଲାର ହ୍ରାସ ହୋଇ ୫୬୪.୦୫୩ ବିଲିୟନ ଡଲାରରେ ପହଞ୍ଚିଛି । ଏହା ପୂର୍ବରୁ ଅଗଷ୍ଟ ୧୨ରେ ଶେଷ ହୋଇଥିବା ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୨୩୮ କୋଟି ଡଲାର ହ୍ରାସ ସହ ୫୭୦.୭୪ ବିଲିୟନ ଡଲାରରେ ପହଞ୍ଚିଥିଲା ।

ଆରବିଆଇ ଅନୁସାରେ ଅଗଷ୍ଟ ୧୯ରେ ଶେଷ ହୋଇଥିବା ସପ୍ତାହ ଭିତରେ ବିଦେଶୀ ମୁଦ୍ରା ଭଣ୍ଡାରରେ ହୋଇଥିବା ହ୍ରାସର ମୁଖ୍ୟ କାରଣ ବିଦେଶୀ ମୁଦ୍ରା ସମ୍ପତ୍ତି ଏବଂ ସୁନା ଭଣ୍ଡାର କମିବା । ସପ୍ତାହିକ ପରିସଂଖ୍ୟାନ ଅନୁସାରେ, ସପ୍ତାହରେ ଏଫସିଏ ୫.୭୭ ବିଲିୟନ ଡଲାର ହ୍ରାସ ହୋଇ ୫୦୧.୨୧୬ ବିଲିୟନ ଡଲାର ହୋଇଛି । ଏହିପରି ସୁନା ଭଣ୍ଡାରର ମୂଲ୍ୟ ୭୦.୪ କୋଟି ଡଲାର ହ୍ରାସ ହୋଇ ୩୯.୯୧୪ ବିଲିୟନ ଡଲାର ରହିଛି ।

ଚଳିତ ସପ୍ତାହରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ନିକଟରେ ବିଶେଷ ଆହାରଣ ଅଧିକାର(ଏସଡିଆର) ୧୪.୬ କୋଟି ଡଲାର ହ୍ରାସ ହୋଇ ୧୭.୯୮୭ ବିଲିୟନ ଡଲାରରେ ପହଞ୍ଚିଛି । ଅନ୍ୟପଟେ, ଆଇଏମଏଫରେ ଥିବା ଦେଶର ମୁଦ୍ରା ଭଣ୍ଡାର ୫.୮ କୋଟି ଡଲାର ହ୍ରାସ ହୋଇ ୪.୦୩୬ ବିଲିୟନ ଡଲାରରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.