ଜଙ୍ଗଲକୁ ଶୌଚ ହେବାକୁ ଯାଇଥିଲେ ବୃଦ୍ଧ, ନିଆଁ ଲଗାଇବା ସନ୍ଦେହ କରି ବାନ୍ଧି ମାଡ଼ ମାରିଲେ ବନ କର୍ମଚାରୀ

Published By : Prameya-News7 Bureau | March 29, 2021 IST

ନୀଳଗିରି,୨୯/୩ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟ କର୍ମଚାରୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ଜଣେ ବୃଦ୍ଧଙ୍କୁ ବାନ୍ଧି ଅତି ଅମାନୁଷିକ ଭାବେ ମାଡ଼ ମାରିଥିବା ଅଭିଯୋଗ ଉଠିଛି ।

ସୂଚନାଯୋଗ୍ୟ, ଗତକାଲି କୁଳଡିହା ସୀମାନ୍ତ ଗାଁ ଔପଦା ବ୍ଲକ ଅଧିନ ଖୁଲିଆ ଗ୍ରାମରେ ଆଦିବାସୀ ମାନଙ୍କର ଶାଳଫୁଲ ପୂଜା ହେଉଥିଲା । ଗ୍ରାମବାସୀମାନେ ଏକତ୍ରିତ ହୋଇଥିଲେ । ସେହିଗ୍ରାମର ବାବାଜୀ ସିଂ ଶୌଚପାଇଁ ଜଙ୍ଗଲକୁ ଲାଗି ଏକ ଚୁଆ ପାଖକୁ ଯାଇଥିବା ବେଳେ ତିନିଜଣ ସବୁଜବହିନୀ କର୍ମୀ ଆସି ତାଙ୍କୁ ଜଙ୍ଗଲରେ ନିଆଁ ଲଗାଉଥିବା ସନ୍ଦେହ କରିଥିଲେ ।

ସେ ଶୌଚପାଇଁ ଆସିଥିବା କହୁଥିବା ବେଳେ ସେମାନେ ନଶୁଣି ତାଙ୍କୁ ବାନ୍ଧି ଅତି ଅମାନୁଷିକ ଭାବେ ମାଡ଼ ମାରିଥିଲେ । ସେ ଚିତ୍କାର କରିବାରୁ ଗ୍ରାମବାସୀ ସେ ସ୍ଥାନକୁ ଦୌଡ଼ି ଯାଇଥିଲେ । ସେମାନେ ପାଲଟା ଚୁପ ରୁହ ନଚେତ କେଶରେ ବାନ୍ଧି ନେବୁ ବୋଲି ଧମକ ଦେଇଥିଲେ । ଏହାପରେ ଗାଁରେ ଉତ୍ତେଜନା ଲାଗିବା ପରେ ସେମାନେ ଛାଡି ପଳାଇ ଯାଇଥିଲେ ।

ଗୁରୁତର ଭାବେ ବାବାଜୀଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ବହୁ ସ୍ଥାନରେ ମାଡ଼ ଚିହ୍ନ ରହିଥିବା ଦେଖାଯାଇଛି । ତେବେ ଆଇନକୁ ହାତକୁ ନେଇଥିବା ବନ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିବା ବେଳେ ସେପଟେ କୂଳଡିହା ରେଞ୍ଜର ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.