ଗଳିତ ଦନ୍ତା ହାତୀର ଦାନ୍ତ ଜବତ, ୩ ଜଣଙ୍କୁ ଗିରଫ କଲା ବନ ବିଭାଗ

Published By : Prameya-News7 Bureau | July 15, 2022 IST

ଭଞ୍ଜନଗର ୧୫।୭: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କାନବିନ୍ଧା ସଂରକ୍ଷିତ ଜଙ୍ଗଲ ଭିତରେ ଠାବ ହୋଇଥିବା ଗଳିତ ଦନ୍ତା ହାତୀର ଦାନ୍ତକୁ ଜବତ କରିଛି ବନ ବିଭାଗ । ଏଥିସହ ହାତୀକୁ ହତ୍ୟା କରି ତାଠାରୁ ଦାନ୍ତ କାଟି ନେବା ଭଳି ଜଘନ୍ୟ ମାମଲାରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ନେଇ ଉତ୍ତର ଘୁମୁସର ବନଖଣ୍ଡ ଡିଏଫ୍‌ଓ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି ।  

{"id":656453,"width":839,"height":461,"sizeSlug":"full","linkDestination":"none"}

ଅଭିଯୁକ୍ତମାନେ ଉକ୍ତ ଜଙ୍ଗଲ ନିକଟରେ ଥିବା ଦଦରଲୁଣ୍ଡା ପଞ୍ଚାୟତର ବେଲାଟୁନ୍‌ ରୁନା ଦିଗାଲ, ଦୀପକ ଦିଗାଲ ଏବଂ ଯୁବରାଜ ଦିଗାଲ ‌ବୋଲି ସେ ସୂଚନା ଦେଇଛନ୍ତି । ଏଥିରେ ଆହୁରି କିଛି ବ୍ୟକ୍ତିଙ୍କ ସଂପୃକ୍ତି ଥିବା ତଦନ୍ତରୁ ଜଣାପଡିଛି । କେସ୍‌ ନମ୍ବର ୧୫୦(ଏମ୍‌)ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ବେଳେ ଆଗାମୀ ଦିନରେ ସେମାନଙ୍କୁ ମଧ୍ୟ ଗିରଫ କରିବା ନେଇ ଚଢଉ ଜାରି ରହିବ ବୋଲି ସେ କହିଛନ୍ତି ।  

{"id":656454,"sizeSlug":"large","linkDestination":"none"}

ଅଭିଯୁକ୍ତମାନେ ଏକ କୁରାଢି ସାହାଯ୍ୟରେ ଦାନ୍ତଟିକୁ କାଟି ହାତୀଟି ମାରିଥିବା ସ୍ଥାନଠାରୁ କିଛି ଦୂରରେ ଜଙ୍ଗଲ ମଧ୍ୟରେ ହିଁ ଦାନ୍ତଟିକୁ ମାଟି ତଳେ ପୋତି ରଖିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ସେମାନେ ଉକ୍ତ ସ୍ଥାନ ଦେଖାଇବା ପରେ ବିଭାଗୀୟ କର୍ମଚାରୀମାନେ ମାଟି ତଳୁ କଟା ଦାନ୍ତ ଉଦ୍ଧା‌ର କରିଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏଥିସହ ସେମାନଙ୍କ ନିକଟରୁ ଦାନ୍ତ କାଟିବାରେ ବ୍ୟବହୃତ କୁରାଢିକୁ ଜବତ କରାଯାଇଛି। ଏହି ଅଞ୍ଚଳରେ ସଦାସର୍ବଦା ହାତୀଙ୍କ ଚଳପ୍ରଚଳ ରହୁଥିବାରୁ ଆଗକୁ ହାତୀଙ୍କ ସୁରକ୍ଷା ପାଇଁ କଡାକଡି କରାଯିବ ବୋଲି ଡିଏଫଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.