ବେଆଇନ୍‌ ଭାବେ କାଟୁଥିଲେ ଜଙ୍ଗଲ, ଚଢ଼ାଉ କଲା ବନ ବିଭାଗ, ୨୦ ଗିରଫ

Published By : Prameya-News7 Bureau | September 25, 2021 IST

କୋକସରା, ୨୫/୦୯: କଳାହାଣ୍ଡି ଜିଲ୍ଲା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଉପରେ ପଡୋଶୀ ନବରଙ୍ଗପୁର ଜିଲ୍ଲାର ଅନୁପ୍ରବେଶକାରୀଙ୍କ ଲୋଲୁପ ଦୃଷ୍ଟି ସବୁବେଳେ ରହିଛି । ଏମାନେ ବିଭିନ୍ନ ସମୟରେ ଅନାଧିକୃତ ଭାବେ ପୋଡ଼ୁ ଚାଷ, ମକାଚାଷ ପାଇଁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅନୁପ୍ରବେଶ କରୁଛନ୍ତି । ହଜାର ହଜାର ହେକ୍ଟର ଜଙ୍ଗଲ ନଷ୍ଟ କରି ପୋଡ଼ୁ ଚାଷ, ମକାଚାଷ କରୁଥିବା ଘଟଣାକୁ ନେଇ ବିଗତ କିଛିମାସ ତଳେ ବନ ବିଭାଗ ଜଙ୍ଗଲ ସୁରକ୍ଷା କମିଟି ଓ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଅନାଧିକୃତ ଭାବେ ବସତି କରି ରହୁଥିବା ନବରଙ୍ଗପୁର ଜିଲ୍ଲାର ଆଦିବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ତିକ୍ତତା ଦେଖାଦେଇଥିଲା ।

ପରେ  ଦୁଇ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ମାମଲାର ସମାଧାନ ହୋଇଥିବା ବେଳେ ପୁଣିଥରେ ପଡ଼ୋଶୀ ଜିଲ୍ଲା ନବରଙ୍ଗପୁରର ବାସିନ୍ଦା କଳାହାଣ୍ଡି ସୀମା ସଂରକ୍ଷିତ ଜଙ୍ଗଲରେ ଅନୁପ୍ରବେଶ କରି ଜଙ୍ଗଲ ନଷ୍ଟ କରୁଥିବା ନେଇ ଅଭିଯୋଗ ହୋଇଛି । ଶୁକ୍ରବାର ଜଙ୍ଗଲ କାଟୁଥିବା ଖବର ପାଇ ଧର୍ମଗଡ଼ ବନାଞ୍ଚଳ ରେଞ୍ଜ ଅନ୍ତର୍ଗତ ବେହେରା ସେକ୍ସନ ବନ କର୍ମଚାରୀ ନବରଙ୍ଗପୁର ଜିଲ୍ଲାର ୨୦ ଜଣ ବ୍ୟକ୍ତିଙ୍କୁ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଠାବ କରିଥିଲେ ।

ଘଣ୍ଟିଗୁଡା ବିଟ କୁମପେନ ଅଞ୍ଚଳରେ ବେଆଇନ ଭାବେ ଜଙ୍ଗଲ କାଟୁଥିବାରୁ ଅନୁପ୍ରବେଶକାରୀଙ୍କୁ ଜଙ୍ଗଲ କାଟିବା ଅଭିଯୋଗରେ ବେହେରା ରେଞ୍ଜ ଅଫିସରେ ଆଣି ଅଟକ ରଖିଥିଲା ବିଭାଗ । ଅଟକ ଥିବା ସମସ୍ତେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଝରିଗା ବ୍ଲକ ଡେଙ୍ଗାଗୁଡା ଜୁନାପାଣି ଜାମପାଣି ଚିକିଲି କେନ୍ଦୁସାହି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ଶନିବାର ସମସ୍ତଙ୍କୁ ଧର୍ମଗଡ଼ ରେଞ୍ଜ ଅଫିସକୁ ନିଆଯାଇଥିଲା । ସମସ୍ତ ଅଭିଯୁକ୍ତଙ୍କୁ ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲ କାଟିବା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିବା ନେଇ ବେହେରା ଫରେଷ୍ଟର ଫାଲଗୁନି ମେହେର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.