ନରଖାଦକ ଚିତାକୁ ହତ୍ୟା ଲାଗି ମିଳିଲା ନିର୍ଦ୍ଦେଶ, ମାରିଛି ୯ ଜଣଙ୍କୁ , ରାତିରେ ଶୋଇପାରୁ ନାହାନ୍ତି ୧୦ଟି ଗାଁର ଲୋକେ

Published By : Prameya-News7 Bureau | December 09, 2020 IST

କୋହ୍ଲାପୁର ୦୯/୧୨: ମଣିଷ ଖିଆ ଚିତାବାଘ। ୯ ଜଣଙ୍କୁ ଶିକାର କରିବା ପରେ ଏବେ ବନ ବିଭାଗର ଚିନ୍ତା ବଢ଼ିଛି। ସବୁ ପ୍ରକାର ଚେଷ୍ଟା କରି ବିଫଳ ହେବା ପରେ ଏବେ ଚିତାବାଘଟିକୁ ମାରିବାକୁ ଅନୁମତି ଦେଇଛି ମହାରାଷ୍ଟ୍ର ବନ ବିଭାଗ। ସୋମବାର ସୋଲାପୁର ଜିଲ୍ଲା ଚିଖଲଥାନରେ ଜଣେ ମହିଳାଙ୍କୁ ଶିକାର କରିଥିଲା ଚିତାବାଘ। ଏହା ସହ ୯ ଜଣଙ୍କୁ ଶିକାର କରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଦେଇଛି ନର ଖାଦକ ଚିତା । ପରେ ତାକୁ ଧରିବାକୁ ସବୁ ପ୍ରକାର ଚେଷ୍ଟା ବିଫଳ ହେବା ପରେ ପିସିସିଏଫ, ମଣିଷ ଖିଆ ଚିତାଟିକୁ ମାରିବାକୁ ଅନୁମତି ଦେଇଥିବା ଜଣାପଡ଼ିଛି।

ଦୁଇ ଦିନରେ ୩ ଥର ଆକ୍ରମଣ କରି ୩ଟି ଜିଲ୍ଲାରେ ଆତଙ୍କ ଖେଳାଇଛି ଚିତା। ୫ ଏକର ବିଶିଷ୍ଟ ଆଖୁ ଚାଷରେ ନିଆଁ ଲଗାଇ ଚିତାକୁ ଧରିବାକୁ ଚାଷୀମାନେ ଚେଷ୍ଟା କରିଥିଲେ ହେଁ ଧରିପାରିନଥିଲେ। ଚିତାର ବାରମ୍ବାର ଆକ୍ରମଣ ଯୋଗୁ ଆଖୁ ଅମଳ ଅଧାରେ ରହିଛି। ୧୦ଟି ଗାଁର ଲୋକେ ଚିତା ଭୟରେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଚିତା ବାଘଟି ଘଞ୍ଚ ଆଖୁ କିଆରିରେ ରହୁଥିବା ଜଣାପଡ଼ିଛି।

ଔରଙ୍ଗାବାଦ, ଅହମଦାନଗର, ବିଡ୍‌ ଓ ସୋଲାପୁର ଜିଲ୍ଲା ମଧ୍ୟରେ ଚିତାଟି ଥିବା ବେଳେ ଏହାକୁ ମାରିବାକୁ ପିସିସିଏଫ ନିର୍ଦେଶ ଦେଇଛନ୍ତି। ସମସ୍ତ ଅଧିକାରୀଙ୍କ ସହ ଆଲୋଚନା ପରେ ନିଷ୍କର୍ଷ ବାହାରିଲା ଯେ, ଚିତାକୁ ମାରିବା ଛଡ଼ା କିଛି ବାଟ ନାହିଁ। ତଥାପି ଚିତାକୁ ଧରିବାକୁ ପୁଣି ଥ​‌ରେ ପ୍ରୟାସ କରାଯାଉ, ଯଦି ଏଥି​‌ରେ ବିଫଳତା ମିଳେ ତେବେ ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଆଇନ୍‌ ଅନୁଯାୟୀ ଚିତାକୁ ମାରିଦିଆଯିବ।

ତେବେ ବାଘଟି କେବଳ ଲୋକଙ୍କୁ ଶିକାର କରୁଥିବା ବେଳେ ଅନ୍ୟ ପ୍ରାଣୀଙ୍କୁ ଆକ୍ରମଣ କରୁନାହିଁ ବୋଲି ଜଣେ ବନ ବିଭାଗ କର୍ମଚାରୀ କହିଛନ୍ତି। ଏହା ସହ ନର ଖାଦକ ମାରିବାକୁ ଯେଉଁ ନିର୍ଦେଶ ରହିଛି ତାହା ଜାନୁଆରୀ ୩୧ ଯାଏ ବଳବତ୍ତର ରହିବ ତାପରେ ଏହାର ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି। ଚିତାକୁ ଧରିବାକୁ ୮୦ ଜଣିଆ ଟିମ୍‌ ଗଠନ କରାଯାଇଥିବା ବେଳେ ବାଘକୁ ଖୋଜିବାକୁ ସ୍ନିଫର କୁକୁର ନିୟୋଜିତ ହୋଇଛନ୍ତି। ୧୮ ଟି ଯନ୍ତା ବସାଯାଇଥିବା ବେଳେ କାରମାଳା ତାଲୁକାର ୩୫ଟି ସ୍ଥାନରେ ସିସି ଟିଭି ଲାଗିଛି।

ଅସ୍ଥି ତାଲୁକା​‌ରେ ୪୦ଟି ସେନ୍ସର କ୍ୟାମେରା ଲାଗିଛି। ଯେଉଁଠି ଚିତା ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେ​‌ଳେ ୩ ଜଣ ଆହତ ହୋଇଥିଲେ।  ତେବେ ନର ଭକ୍ଷକ ଚିତା ପ୍ରତିଦିନ ୨୦ କିମି ଯାତ୍ରା କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.