ହାତୀ ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ, ସ୍ପେଶାଲ ଟାସ୍କଫୋର୍ସ ଟିମ୍‌ର ତଦନ୍ତ

Published By : Prameya-News7 Bureau | April 13, 2023 IST

ଉଦଳା ୧୩।୪: ହାତୀ ମୃତ୍ୟୁ ପରେ ବନ ବିଭାଗର ଚେତା ପଶିଛି । ହାତୀ ମୃତ୍ୟୁର କାରଣ ଖୋଜୁଛି ବନ ବିଭାଗ । କାରଣ ଖୋଜିବା ପାଇଁ ବନ ବିଭାଗ ଉପରିସ୍ଥ ଅଧିକାରୀଙ୍କ ସମେତ ସ୍ପେଶାଲ ଟାସ୍କଫୋର୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ହେଲେ ଏବେ ସୁଦ୍ଧା ପାଉନାହାନ୍ତି ଖିଅ ।

ସୂଚନାଯୋଗ୍ୟ ଯେ, ବୁଧବାର କପ୍ତିପଦା ରେଞ୍ଜ ରାଇପାଳ ବିଟ ପଦ୍ମପୋଖରୀ ବାଘଧରସାହି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ପଡିଥିବା ବନ ବିଭାଗ ଖବର ପାଇଥିଲା । ଖବର ପାଇବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି କେବଳ ମୃତଦେହକୁ ଜବତ କରି ଚାଲି ଆସିଥିଲା । ଗୁରୁବାର ଉକ୍ତ ହାତୀର ମୃତଦେହକୁ ବ୍ୟବଚ୍ଛେଦ କରିବା ନିମନ୍ତେ ପୁରା ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ଏହାସହିତ ଭୁବନେଶ୍ୱରରୁ ଏକ ସ୍ପେଶାଲ ଟ୍ୟାସ୍କଫୋର୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର କାରଣ ଖୋଜୁଛି । ଗୁରୁବାର ହାତୀର ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ କହିଛି ।

ଏହି ହାତୀଟିର କୁଲଡିହା ଏବଂ ଶିମିଳିପାଳର ବର୍ଡରରେ ଥିବା ସଂରକ୍ଷିତ ଜଙ୍ଗଲରେ ହିଁ ମୃତ୍ୟୁ ହୋଇଥିବା ବାରିପଦା ଡିଏଫଓ କହିଛନ୍ତି । ଏହା ସହିତ ମୃତ ହାତୀଟି ଦନ୍ତାହାତୀ ହୋଇଥିବା ବେଳେ ତାହାର ବୟସ ୧୫ବର୍ଷ ହେବ ବୋଲି ଅନୁମାନ କରିଛି ବନ ବିଭାଗ । ମୃତ ହାତୀର ଦୁଇ ଦାନ୍ତ ସୁରକ୍ଷିତ ରହିଥିବା ଏବଂ ତାହା ଛୋଟ ଆକାରର ବୋଲି ସୂଚନା ଦେଇଛି ବନ ବିଭାଗ । ତେବେ ହାତୀ ମୃତ୍ୟୁର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନଥିବା ବେଳେ ଶବ ବ୍ୟବଚ୍ଛେଦ ସହିତ ଅଧିକ ତଦନ୍ତ ପରେ ମୃତ୍ୟୁ ପଛରେ ଶିକାରୀ ନା କୌଣସି ରୋଗ ରହିଛି ତାହା ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.