ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ : ପରିବେଶ ଓ ଜଙ୍ଗଲ ମନ୍ତ୍ରୀ
14/03/2023 at 2:50 PM

ଭୁବନେଶ୍ବର ୧୪।୩: ଜଙ୍ଗଲ ନିଆଁକୁ ନେଇ ଗୃହରେ ଉଦବେଗ । ବିଧାନସଭାରେ ଉଠିଲା ଜଙ୍ଗଲ ନିଆଁ ପ୍ରସଙ୍ଗ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରସଙ୍ଗ ଉଠାଇ କହିଛନ୍ତି ଜଙ୍ଗଲ ଜଳୁଛି ମନ୍ତ୍ରୀ କ’ଣ ପଦକ୍ଷେପ ନେଉଛନ୍ତି । ସେହିପରି ବିଜେପି ବିଧାୟିକା କୁସୁମ ଟେଟେ ବି ସମାନ ପ୍ରସଙ୍ଗ ଉଠାଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।
ସେପଟେ ଉତ୍ତର ରଖି ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ସାଟେଲାଇଟରେ ଯାହା ଆସୁଛି ସେଥିରେ କେବଳ ଜଙ୍ଗଲରେ ନିଆଁ ଲାଗୁନି ବରଂ ଅନେକ ସ୍ଥାନରେ ଚାଷୀମାନେ ଉନ୍ନତ ମାନର ଚାଷ କରିବା ପାଇଁ ଧାନ ବିଲରେ ନିଆଁ ଲଗେଇ ଦେଉଛନ୍ତି । ଧାନ କାଟିବା ପରେ ଯେଉଁ ବଳକା ରହିଯାଉଛି ସେଥିରେ ଚାଷୀମାନେ ନିଆଁ ଲଗେଇ ଦେଉଛନ୍ତି । ଯେଉଁଥି ପାଇଁ ସାଟେଲାଇଟରେ ଅଧିକ ନିଆଁ ଲାଗିଥିବା ଆସୁଛି । ଯେତିକି ଅଞ୍ଚଳରେ ନିଆଁ ଲାଗିଛି ତାର ୯୮ପ୍ରତିଶତକୁ ଅନୁଧ୍ୟାନ କରୁଛୁ ।
ବିଶେଷ କରି ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସୁରକ୍ଷା ସମିତିର ସହଯୋଗ ନିଆଯାଉଛି । ଆଧୁନିକ ପ୍ରଣାଳୀରେ ନିଆଁକୁ ଆୟତ୍ତ କରାଯାଉଛି । ସୋମବାର ମୁଖ୍ୟ ଶାସନ ସଚିବ ବୈଠକ କରିଛନ୍ତି । ଯେଉଁମାନେ ଜଙ୍ଗଲ ଭିତରେ ପଶି ନିଆଁ ଲଗାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁମାନେ ଜଙ୍ଗଲରେ ବୁଲାବୁଲି କରୁଛନ୍ତି ଯାହା ଉପରେ ସନ୍ଦେହ ହେଉଛି ତାଙ୍କ ଉପରେ ନଜର ରଖାଯାଉଛି ।