ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ ଡବ୍ଲୁଏଚ୍‌ଓର ୱେବ୍‌ସାଇଟ୍ ଅଲଗା ଦେଖାଇବା ପ୍ରସଙ୍ଗ‌, ରାଜ୍ୟସଭା ଆଗରେ ଉତ୍ତର ରଖିଲେ ମୁରଲୀଧରନ୍‌

Published By : Prameya-News7 Bureau | February 04, 2021 IST

ନୂଆଦିଲ୍ଲୀ, ୦୪/୦୨: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଜ ୱେବ୍‌ସାଇଟ୍‌ରେ ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ ଭାରତର ଅଲଗା ଅଂଶ ଦେଖାଇବା ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶ୍ୱ ସମୁଦାୟ ଆଗରେ ଦୃଢ଼ତାର ପ୍ରତିବାଦ କରାଯାଇଛି । ଯାହାକୁ ନେଇ ଡବ୍ଲୁଏଚ୍‌ଓ ତାର ପୋର୍ଟାଲ୍‌ରେ ସ୍ପଷ୍ଟୀକରଣ ଦେବା ସହିତ ଏହାକୁ ପ୍ରତ୍ୟାଖ୍ୟାନ କରିଛି । ବୈଦେଶିକ-ରାଜ୍ୟ ମନ୍ତ୍ରୀ ଭି ମୁରଲୀଧରନ୍‌ ଏ ନେଇ ରାଜ୍ୟସଭାକୁ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଜଣାଇଛନ୍ତି ।

ରାଜ୍ୟସଭା ପକ୍ଷରୁ ଏନେଇ ଏକ ପ୍ରଶ୍ନ ପଚାରାଯାଇଥିଲା । ଏଥିରେ ଡବ୍ଲୁଏଚ୍‌ଓର ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ ହୋଇଥିବା ନକ୍ସାରେ କେନ୍ଦ୍ରଶାଂସିତ ଅଞ୍ଚଳ ଜାମ୍ମୁ-କାଶ୍ମୀର ଏବଂ ଲଦାଖକୁ ଅଲଗା ଦେଖାଯାଇଥିଲା କି ନାହିଁ ପଚରାଯାଇଥିଲା । ମୁରଲୀଧରନ୍‌ ଏହାକୁ ନେଇ କହିଥିଲେ ଯେ, ଡବ୍ଲୁଏଚ୍‌ଓର ୱେବ୍‌ସାଇଟ୍‌ରେ ଦିଆଯାଇଥିବା ଭୁଲ୍‌ ତଥ୍ୟକୁ ନେଇ ଭାରତ ଉଚ୍ଚ ସ୍ତରରେ ଦୃଢ଼ତାର ସହ ପ୍ରତିବାଦ କରି ବିଶ୍ୱ ସମୁଦାୟ ଆଗରେ ଏହି ମୁଦ୍ଦାକୁ ଉଠାଇଥିଲା । ଏହାର ଜବାବରେ ଜାତିସଂଘ, ଜେନେଭାରେ ସ୍ଥିତ ଭାରତର ସ୍ଥାୟୀ ମିଶନ୍‌କୁ ଡବ୍ଲୁଏଚ୍‌ଓ ତାର ପୋର୍ଟାଲ୍‌ରେ ଏ ସଂପର୍କିତ ଏକ ପ୍ରତ୍ୟାଖ୍ୟାନ ପ୍ରସ୍ତାବ ରଖିଥିବା ସୂଚନା ଦେଇଥିଲା ।

ମୁରଲୀଧରନ୍‌ଙ୍କ ଅନୁସାରେ, ଏହି ପ୍ରତ୍ୟାଖ୍ୟାନ ନୋଟ୍‌ରେ କୁହାଯାଇଥିଲା ଯେ, ଦିଆଯାଇଥିବା ନାମ ଏବଂ ପ୍ରଦର୍ଶିତ ହୋଇଥିବା ସାମଗ୍ରୀ ଦ୍ୱାରା କୌଣସି ଦେଶ, ଏହାର ଭୌଗଳିକ ଏବଂ ପ୍ରାଧୀକରଣର ବୈଧାନିକ ସ୍ଥିତି ଅଥବା ଏହାର ସୀମା ବା ସୀମା ଅଞ୍ଚଳରେ ପରିବର୍ତ୍ତନ ଆଣିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରାୟରେ ନାହିଁ ବୋଲି ସ୍ପଷ୍ଟୀକରଣ ରଖାଯାଇଥିଲା । ଏଥିରେ ମାନଚିତ୍ରରେ ଦର୍ଶାଯାଇଥିବା ବିନ୍ଦୁ ବା ଡାସ୍‌‌ ଲାଇନ୍‌ କୌଣସି ଦେଶର ସୀମାର ଅନୁମାନ ମାତ୍ର । ତେଣୁ ଏହା କୌଣସି ଦେଶର ସୀମା ନିର୍ଦ୍ଧାରଣ କରେ ନାହିଁ । ତେବେ ଏହାକୁ ନେଇ ମୁରଲୀଧରନ୍‌ ସୀମାକୁ ସମ୍ପୂର୍ଣ୍ଣ ସଠିକ୍‌ ଭାବେ ଦେଖାଇବାକୁ କେନ୍ଦ୍ର ସରକାର ସ୍ପଷ୍ଟରୂପେ ଡବ୍ଲୁଏଚ୍‌ଓକୁ କହିଥିବା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.