ପାକିସ୍ତାନ ଲାଗି ବନ୍ଦ ହୋଇପାରେ ବିଦେଶୀ ସିପିଙ୍ଗ କମ୍ପାନୀଙ୍କ ସେବା, ପିଏସଏଏ ଅଧ୍ୟକ୍ଷ କଲେ ସତର୍କ
21/01/2023 at 8:54 PM

ଇସ୍ଲାମାବାଦ ୨୧।୧: ନଗଦ ସଂକଟର ସମ୍ମୁଖୀନ ପାକିସ୍ତାନ ଲାଗି ସିପିଙ୍ଗ କମ୍ପାନୀମାନେ ସେବା ବନ୍ଦ କରିପାରନ୍ତି। ଏଥିଲାଗି କମ୍ପାନୀଙ୍କ ଏଜେଣ୍ଟମାନେ ପାକିସ୍ତାନ ସରକାରଙ୍କୁ ଚେତବନୀ ଦେଇଛନ୍ତି। ଯଦି ସିପିଙ୍ଗ ବନ୍ଦ ହୋଇଯାଏ ତେବେ ପାକିସ୍ତାନକୁ ଆମଦାନୀ ଅଟକିଯିବ ବୋଲି ଏବେ ଆଶଙ୍କା କରାଯାଉଛି। ସିପିଙ୍ଗ କମ୍ପାନୀମାନେ କହିଛନ୍ତି ଯେ ଡଲାର ସଂକଟ ଯୋଗୁ ବ୍ୟାଙ୍କ ଏବେ ମାଲ ପରିବହନ ଶୁଳ୍କ ଦେଉ ନାହାନ୍ତି। ଏଥିରେ ଆଉ ଅଧିକ ସମୟ ସେବା ଯୋଗାଇ ଦେବା ଅସମ୍ଭବ ବୋଲି ଶନିବାର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଏ ନେଇ ପାକିସ୍ତାନ ସିପ୍ ଏଜେଣ୍ଟ ଆସୋସିଏସନ( ପିଏସଏଏ) ଅଧ୍ୟକ୍ଷ ଅବଦୁଲ ରୌଫ୍ ଅର୍ଥମନ୍ତ୍ରୀ ଇସାକ ଡାରଙ୍କୁ ଏକ ପତ୍ର ମଧ୍ୟ ଲେଖିଛନ୍ତି। ଏଥିରେ ସିପିଙ୍ଗ ସେବାରେ କୌଣସି ପ୍ରକାରର ବ୍ୟବଧାନ ଦେଶର ଅନ୍ତର୍ଜାତୀୟ ବ୍ୟାପାର ଲାଗି ଗୁରୁତର ସମସ୍ୟା ସୃଷ୍ଟି କରିପାରେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଏଥିରେ ଯଦି ଦେଶର ଅନ୍ତର୍ଜାତୀୟ ବ୍ୟାପାର ବନ୍ଦ ହୋଇଯାଏ ତେବେ ଦେଶର ଆର୍ଥିକ ସମସ୍ୟା ଆହୁରି ବିକଟ ହୋଇପାରେ ବୋଲି ସତର୍କ କରିଛନ୍ତି।
ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପିଏସଏଏ ଚେୟାରମ୍ୟାନ ଷ୍ଟେଟବ୍ୟାଙ୍କ ଅଫ ପାକିସ୍ତାନ (ଏସବିପି)ଙ୍କ ଗଭର୍ଣ୍ଣର ଜମିଲ ଅହମ୍ମଦ, ବାଣିଜ୍ୟ ମନ୍ତ୍ରୀ ସୟଦ ନଭୀଦ ନମାର ଓ ସାମୁଦ୍ରିକ ବ୍ୟାପାର ମନ୍ତ୍ରୀ ଫୈସଲ ସବଜ୍ଭାରୀଙ୍କୁ ମଧ୍ୟ ପତ୍ର ଲେଖି ପରିସ୍ଥିତି ସମ୍ପର୍କରେ ସୂଚିତ କରିଛନ୍ତି। ପତ୍ର ମିଳିବା ପରେ ରୌଫ୍ ସମ୍ପର୍କିତ ମନ୍ତ୍ରାଳୟ ଓ ବିଭାଗଙ୍କୁ ବିଦେଶୀ ସିପିଙ୍ଗ କମ୍ପାନୀମାନଙ୍କ ମାଲ ପରିବହନ ଶୁଲ୍କ ପ୍ରଦାନ ଅନୁମତି ଦେଇ ପାକିସ୍ତାନର ସାମୁଦ୍ରିକ ବ୍ୟାପାରର ନିରନ୍ତରତା ସୁନିଶ୍ଚିତ କରିବା ଲାଗି ହସ୍ତକ୍ଷେପ କରିବା ପାଇଁ ନିବେଦନ କରିଛନ୍ତି।