ନୂଆଦିଲ୍ଲୀ: ବଢ଼ିଲା ବିଦେଶ ସଚିବ ବିକ୍ରମ ମିଶ୍ରିଙ୍କ କାର୍ଯ୍ୟକାଳ । କେନ୍ଦ୍ର ସରକାର ତାଙ୍କ କାର୍ଯ୍ୟକାଳ ୨୦୨୬ ଜୁଲାଇ ୧୪ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ସୋମବାର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୧୯୮୯ ବ୍ୟାଚର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ ବିକ୍ରମ ମିଶ୍ରି, ଜୁଲାଇ ୧୫ରେ ବିଦେଶ ସଚିବ ପଦ ଗ୍ରହଣ କରିଥିଲେ। ବିକ୍ରମ ମିଶ୍ରିଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହୋଇଥା’ନ୍ତା।
ସୂଚନାଯୋଗ୍ୟ, ବିକ୍ରମ ମିଶ୍ରି ୧୯୮୯ ବ୍ୟାଚର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ। କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ମନ୍ତ୍ରିମଣ୍ଡଳର ନିଯୁକ୍ତି ସମିତି ବିଦେଶ ସଚିବ ପଦ ପାଇଁ ବିକ୍ରମ ମିଶ୍ରିଙ୍କ କାର୍ଯ୍ୟକାଳକୁ ୨୦୨୬ ଜୁଲାଇ ୧୪ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ, ଯାହାବି ପ୍ରଥମେ ସେପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳକୁ ବୃଦ୍ଧି କରୁଛନ୍ତି। ଏଫଆର ୫୬ (ଡି)ର ପ୍ରାବଧାନ ଅନୁଯାୟୀ ଏହାକୁ ମଞ୍ଜୁରୀ ଦେଇଛନ୍ତି।
ବିକ୍ରମ ମିଶ୍ରି ୨୦୨୪ ଜୁଲାଇ ୧୫ରେ ବିଦେଶ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା। ସେ ବିନୟ କ୍ବାତ୍ରାଙ୍କ ସ୍ଥାନ ନେଇଥିଲେ, ତାଙ୍କୁ ଆମେରିକାରେ ଭାରତର ରାଷ୍ଟ୍ରଦୂତ ନିଯୁକ୍ତ କରାଯାଇଛି। ଭାରତୀୟ ବିଦେଶ ସେବାର ୧୯୮୯ ବ୍ୟାଚର ଅଧିକାରୀ ବିକ୍ରମ ମିଶ୍ରି ବିଦେଶ ମନ୍ତ୍ରାଳୟର ଅନେକ ପଦରେ ରହି କାମ କରିଛନ୍ତି। ୟୁରୋପ, ଆଫ୍ରିକା, ଏସିଆ ଏବଂ ଉତ୍ତର ଆମେରିକାରେ ଭାରତୀୟ ମିଶନରେ ବିଭିନ୍ନ ପଦରେ ରହିଥିଲେ।
ସେ ବିଦେଶ ମନ୍ତ୍ରଣାଳୟର ପାକିସ୍ତାନ ଡେସ୍କରେ କାମ କରିଛନ୍ତି। ବିକ୍ରମ ମିଶ୍ରି, ବିଦେଶ ମନ୍ତ୍ରୀ ଆଇ.କେ ଗୁଜରାଲ ଏବଂ ପ୍ରଣବ ମୁଖାର୍ଜୀଙ୍କ ସହ କାମ କରିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଜଏଣ୍ଟ ସେକ୍ରେଟାରୀ ଭାବରେ କାର୍ଯ୍ୟ କରିବା ବ୍ୟତୀତ, ସେ ଭାରତର ତିନି ପ୍ରଧାନମନ୍ତ୍ରୀ, ଆଇକେ ଗୁଜରାଲ, ଡା.ମନମୋହନ ସିଂହ ଏବଂ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। ବିକ୍ରମ ମିଶ୍ରୀ ବ୍ରସେଲ୍ସ, ଟ୍ୟୁନିସ, ଇସଲାମାବାଦ ଏବଂ ଓ୍ବାସିଂଟନ ଡିସିରେ ଭାରତୀ ଦୂତାବାସରେ ମଧ୍ୟ କାମ କରିସାରିଛନ୍ତି।
ସେ ଶ୍ରୀଲଙ୍କାରେ ଭାରତର ଡେପୁଟି ହାଇ କମିଶନର ଏବଂ ମ୍ୟୁନିକରେ ଭାରତର କୂଟନୀତିଜ୍ଞ ଭାବରେ କାମ କରିସାରିଛନ୍ତି। ବିକ୍ରମ ମିଶ୍ରି ସ୍ପେନ, ମିଆଁମାର ଏବଂ ଚୀନରେ ଭାରତର ରାଷ୍ଟ୍ରଦୂତ ରହିଥିଲେ। ସେ ବିଦେଶ ସଚିବ ହୋ ପୂର୍ବରୁ ଭାରତର ରଣନୀତିକ ମାମଲାର ଉପ ରାଷ୍ଟ୍ରୀୟ ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଥିଲେ।