ପାକିସ୍ତାନକୁ ଭାରତର ଟାର୍ଗେଟ୍; ଦେଶର ଆର୍ଥିକ ସଂକଟରୁ ଧ୍ୟାନ ହଟାଇବାକୁ ମିଛ ଏଜେଣ୍ଡା ଚଳାଇଛି ପଡୋଶୀ
14/03/2023 at 12:52 PM

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ପୁଣି ବର୍ଷିଲା ଭାରତ । ବିଦେଶ ମନ୍ତ୍ରାଳୟର ବାର୍ଷିକ ରିପୋର୍ଟରେ ଆତଙ୍କବାଦ ଓ ମିଛ ଏଜେଣ୍ଡା ଖେଳାଇବାକୁ ନେଇ ପାକିସ୍ତାନକୁ ଟାର୍ଗେଟ୍ କରିଛି ଭାରତ । ପାକିସ୍ତାନ ଭାରତ ବିରୋଧରେ ଲଗାତାର ମିଛ ଏଜେଣ୍ଡା ଖେଳାଇବାରେ ଲାଗିଛି । ନିଜ ଦେଶରେ ଲାଗି ରହିଥିବା ଆର୍ଥିକ ସଂକଟରୁ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ ପାକିସ୍ତାନର ରାଜନେତା ଏଭଳି ପ୍ରୟାସ କରୁଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।
ଭାରତ ବିଦେଶ ମନ୍ତ୍ରାଳୟ ୨୦୨୨ରେ ନିଜ ବାର୍ଷିକ ରିପୋର୍ଟରେ ଜୋର୍ ଦେଇକି କହିଛି, ୨୬/୧୧ ମୁମ୍ବାଇ ବିସ୍ଫୋରଣରେ ମୃତକଙ୍କ ପରିବାର ଲୋକଙ୍କୁ ନ୍ୟାୟ ଦେବାରେ ପାକିସ୍ତାନ ଏଯାଏଁ କୌଣସି ସହଯୋଗର ହାତ ବଢ଼ାଇ ନାହିଁ । ମାର୍ଚ୍ଚ ୧୩ ତାରିଖରେ ପ୍ରକାଶ ପାଇଥିବା ବାର୍ଷିକ ରିପୋର୍ଟରେ, ପାକିସ୍ତାନ ସହତି ସାମାନ୍ୟ ପଡୋଶୀଙ୍କ ଭଳି ସମ୍ପର୍କ ରଖିବା ଦରକାର ବୋଲି ଭାରତ କହିଛି ।
ବିଦେଶ ମନ୍ତ୍ରାଳୟ ଏକ ବୟାନରେ କହିଛି, ଜାମ୍ମୁ-କାଶ୍ମୀର ଭାରତର ହେଉଛି ଏକ ଅଭିନ୍ନ ଅଙ୍ଗ । ଏହା ସହିତ ଜଡ଼ିତ ମାମଲା ଭାରତର ଅଭ୍ୟନ୍ତରଣ ମାମଲା । ଏହାକୁ ନେଇ ପାକିସ୍ତାନର ସମସ୍ତ ଅଭିଯୋଗ ଭାରତ ସରକାର ଖାରଜ କରିଛନ୍ତି । ଏହା ସହିତ ପଡୋଶୀ ଦେଶ ମିଛ ଏଜେଣ୍ଡା ଚଳାଇବାରୁ ନିବୃତ୍ତ ରହୁ ବୋଲି ରିପୋର୍ଟରେ କୁହାଯାଇଛି ।
ଆତଙ୍କବାଦ ମୁଦ୍ଦାକୁ ନେଇ ଜୋରଦାର ବର୍ଷିଛି ଭାରତ । ଆତଙ୍କବାଦୀ ସଂଗଠନକୁ ସହଯୋଗ କରୁଛି ପାକିସ୍ତାନ ସରକାର । ଏଲଏସିରେ ଆତଙ୍କୀଙ୍କୁ ବେଆଇନ ଭାବେ ଭାରତ ସୀମାରେ ପ୍ରବେଶ କରାଯାଉଛି । ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଛି । ଏହି ମୁଦ୍ଦାକୁ ଭାରତ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଉଠାଇଥିଲେ ମଧ୍ୟ ସୁଧୁରିବାର ନାଁ ଧରୁନାହିଁ ନାପାକ୍ ପାକିସ୍ତାନ ।