ମିଳିତ ଜାତିସଂଘ ମହାସଚିବଙ୍କୁ ଭେଟିଲେ ବିଦେଶ ମନ୍ତ୍ରୀ, ସୁଦାନ ଏବଂ ୟୁକ୍ରେନ ଉପରେ କଲେ ଜରୁରୀ ଆଲୋଚନା

Published By : Prameya-News7 Bureau | April 21, 2023 IST

ନୂଆଦିଲ୍ଲୀ, ୨୧/୦୪: ନ୍ୟୁୟର୍କରେ ମିଳିତ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କୁ ଭେଟିଛନ୍ତି ବିଦେଶ ମନ୍ତ୍ରୀ ଡା.ଏସ ଜୟଶଙ୍କର । ଉଭୟଙ୍କ ସାକ୍ଷାତକାର ନେଇ ଗୁରୁବାର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ମିଳିତ ଜାତିସଂଘ ମହାସଚିବଙ୍କ ସହ ସୁଦାନ, ଜି୨୦ ପ୍ରେସିଡେନ୍ସୀ ଏବଂ ୟୁକ୍ରେନରେ ଲାଗିରହିଥିବା ଘଟଣାକୁ ନେଇ ଚର୍ଚ୍ଚା କରିଛନ୍ତି। ତେବେ ଆଲୋଚନାରେ ସୁଦାନ ଉପରେ ଗୁରୁତ୍ବ ରହିଥିଲା।

ଜୟଶଙ୍କର କହିଛନ୍ତି ଜି-୨୦ ଏବଂ ୟୁକ୍ରେନ୍‌ ସଂଘର୍ଷ ଉପରେ ଚର୍ଚ୍ଚା ହୋଇଛି କିନ୍ତୁ ସୁଦାନକୁ ନେଇ ଅଧିକ ଆଲୋଚନା ହୋଇଛି। ଜୟଶଙ୍କର ଆହୁରି କହିଛନ୍ତି ଭାରତ ଆରମ୍ଭରୁ ହିଁ ଯୁଦ୍ଧବିରାମ ଦିଗରେ ପ୍ରୟାସ ଉପରେ ଜୋର୍ ଦେଉଛି। ଏ ସମ୍ପର୍କରେ ମିଳିତ ଜାତିସଂଘ ଏବଂ ଅନ୍ୟ ଦେଶଙ୍କ ସହ ମିଶି କାମ କରିବା ଜାରି ରହିବ।

ବିଦେଶ ମନ୍ତ୍ରୀ ଆହୁରି କହିଛନ୍ତି ସୁଦାନରେ ମିଳିତ ଜାତିସଂଘ ଯୁଦ୍ଧବିରାମ ପାଇଁ ଚେଷ୍ଟା କରୁଛି। କାରଣ ଯେପର୍ଯ୍ୟନ୍ତ ଯୁଦ୍ଧବିରାମ ହୋଇନାହିଁ। ସେପର୍ଯ୍ୟନ୍ତ ଲୋକଙ୍କ ପାଇଁ ବାହାରକୁ ବାହାରିବା ସୁରକ୍ଷିତ ନୁହେଁ। ରାଜନୀତିକ ପ୍ରକ୍ରିୟାରେ ଯୁଦ୍ଧବିରାମ ଉପରେ ଆମର ଫୋକସ୍ ରହିଛି। ଏହା ବ୍ୟତୀତ ଭାରତକୁ ଜି-୨୦ ଅଧ୍ୟକ୍ଷତା ସହ ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ଜୟଶଙ୍କର ଗୁଏନା, ପାନାମା, କୋଲମ୍ବିୟା, ଏବଂ ଡୋମିନିକ୍‌ ରିପବ୍ଲିକ୍‌​‌ରେ ନଅଦିନିଆ ଗସ୍ତରେ ଅଛନ୍ତି।

ସୂଚନାଯୋଗ୍ୟ, ସୁଦାନରେ ସେନା ଏବଂ ଅର୍ଦ୍ଧସାମରିକ ବଳ ମଧ୍ୟରେ ଜାରି ସଂଘର୍ଷରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ମିଳିତ ଜାତିସଂଘ ଇଦ୍‌କୁ ନେଇ ଉଭୟ ପକ୍ଷଙ୍କୁ ତିନିଦିନ ଯୁଦ୍ଧ ବିରାମ ପାଇଁ ଅପିଲ୍‌ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.