ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ; ଗତ ୩ ମାସରେ ସର୍ବନିମ୍ନ
17/03/2023 at 10:13 PM

ମୁମ୍ବାଇ: ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଷ୍ଟାଟିଷ୍ଟକ୍ ସପ୍ଲିମେଣ୍ଟ ତଥ୍ୟରୁ ଏହି ସୂଚନା ମିଳିଛି। ମାର୍ଚ୍ଚ ୧୦ ତାରିଖରେ ସପ୍ତାହ ଶେଷ ବେଳକୁ ବିଦେଶ ମୁଦ୍ରା ଭଣ୍ଡାର ୫୬୦ ବିଲିଅନ ଆମେରିକୀୟ ଡଲାରକୁ ହ୍ରାସ ପାଇଛି। ଗତ ୩ ମାସରେ ଏହା ସର୍ବାଧିକ ହ୍ରାସ। ଏହା ପୂର୍ବରୁ ମାର୍ଚ୍ଚ ୩ ତାରିଖ ସପ୍ତାହ ଶେଷରେ ବିଦେଶୀ ମୁଦ୍ରା ଭଣ୍ଡାର ୫୬୨.୪୦ ବିଲିଅନ ଆମେରିକୀୟ ଡଲାର ରହିଥିଲା।
ସୂଚନା ଥାଉକି, ଡଲାର ତୁଳନାରେ ମୁଦ୍ରା ମୂଲ୍ୟ ହ୍ରାସକୁ ରୋକିବା ପାଇଁ ଆର୍ବିଆଇ ଫ୍ୟୁଚର ବଜାରେ ହସ୍ତକ୍ଷେପ କରିଥାଏ। ରିଜର୍ଭରେ ପରିବର୍ତ୍ତନର ମୂଲ୍ୟାୟନରେ ଲାଭ ଓ କ୍ଷତିରୁ ହୋଇଥାଏ ବୋଲି ଆର୍ବିଆଇ କହିଛି।
ଗତ ସପ୍ତାହରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ୦.୧ ପ୍ରତିଶତ ହ୍ରାସ ପାଇଥିଲା। ଆମେରିକାରେ ବ୍ୟାଙ୍କିଂ କ୍ରାଇସିସ୍ ପାଇଁ ଏଭଳି ହୋଇଥିଲା। ତେବେ ଶୁକ୍ରବାର ଶେଷ କାରବାର ସୁଧା ଭାରତୀୟ ମୁଦ୍ରା ମୂଲ୍ୟ ୮୨.୫୫୨୫ରେ ରହିଥିଲା।
ଅନ୍ୟପଟେ ଆଜି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ନେଇ କୌଣସି ସମସ୍ୟା ନାହିଁ ବୋଲି ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ସେହିପରି ଦରବୃଦ୍ଧିକୁ ନେଇ ମଧ୍ୟ ଆଶ୍ୱସ୍ତିକର ପ୍ରତିକ୍ରିୟା ଦେଇଥିଲେ ଗଭର୍ଣ୍ଣର। ଦେଶର ଦରବୃଦ୍ଧିର ଖରାପ ସମୟ ଚାଲିଯାଇଛି। ଆମର ଆର୍ଥିକ କ୍ଷେତ୍ର ସ୍ଥିର ଅଛି ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।