ଜୋର ଜବରଦସ୍ତ ମୋ ପୋଷାକ ଖୋଲିବାକୁ ଚେଷ୍ଟା କରିଥିଲେ ରାଜା, ଛାତିରେ ବି ଘସିଥିଲେ କ୍ରିମ : ସୋନାଲ

Published By : Prameya-News7 Bureau | October 25, 2018 IST

ଟେଲିଭିଜନ ଅଭିନେତ୍ରୀ ସୋନାଲ ଏବେ ତାଙ୍କ ସହ ଘଟିଥିବା ଯୌନଶୋଷଣର ଅଭିଯୋଗ ଆଣିଛନ୍ତି । ସୋନାଲ ଭେଙ୍ଗୁରଲେକରଙ୍କ ଶେଷ ଧାରାବାହିକ ଥିଲା ସାମ ଦାମ ଦଣ୍ଡ ଭେଦ । ସେ କହିଛନ୍ତି ଯେ, ଏକ ଅନଲାଇନ ପୋର୍ଟାଲରେ ଅଭିନୟ ପାଇଁ ଅଡିସନ ଦେବାଲାଗି ମୁମ୍ବାଇର କାଷ୍ଟିଙ୍ଗ ନିର୍ଦ୍ଦେଶକ ଏବଂ ଫଟୋଗ୍ରାଫର ରାଜା ବଜାଜଙ୍କ ପାଖକୁ ସେ ୨୦୧୨ମସିହାରେ ଯାଇଥିଲେ । ତାଙ୍କୁ ସେତେବେଳେ ମାତ୍ର ୧୯ବର୍ଷ ବୟସ ହୋଇଥିଲା । ଆଗରୁ ଅଭିନୟ ଶିଖିନଥିବାରୁ ଅଡିସନବେଳେ ସେ ଠିକ୍‌ରେ ସଂଳାପ କହିପାରିନଥିଲେ । ଫଳରେ ରାଜା ତାଙ୍କୁ କହିଥିଲେ ସେ ଦେବୀଭଳି ମୁହଁ ପାଇଛନ୍ତି , କିନ୍ତୁ ଅଭିନୟ ଶିଖିବାକୁ ହେବ । ଏଥିସହ ଅଭିଜ୍ଞତା ପାଇଁ ଗୋଟିଏ ସୁଟିଂରେ ତାଙ୍କୁ ସହାୟତା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସୋନାଲ ମଧ୍ୟ ମୁମ୍ବାଇର ଲୋନାଭେଲାରେ ଚାଲିଥିବା ଏକ ସୁଟିଂରେ ରାଜାଙ୍କୁ ସହାୟତା କରିଥିଲେ । ସେ ଏହି ସୁଟରେ ଅଭିନୟ କରୁନଥିଲେ । କିନ୍ତୁ ସୁଟିଂ ସେଟରେ ବିଭିନ୍ନ ପୋଷକ ଟ୍ରାଏଲ କରିବା ପାଇଁ ତାଙ୍କୁ ରାଜା କହିଥିଲେ । ସେ ତ ଅଭିନୟ କରୁନାହାଁନ୍ତି , ତେଣୁ ଡ୍ରେସ କାହିଁକି ଟ୍ରାଏଲ କରିବେ ବୋଲି ସୋନାଲ ପଚାରିଥିଲେ । ତେବେ ଏହାର କୌଣସି ଉତ୍ତର ନଦେଇ ଡ୍ରେସ ଟ୍ରାଏଲ କରିବା ପାଇଁ ରାଜା ତାଙ୍କୁ ବାଧ୍ୟ କରିଥିଲେ । ସେତେବେଳକୁ ରାଜା ଏକ କ୍ରିମ ବୋତଲ ଧରିଥିଲେ ଓ କହିଥିଲେ ଯେ, ଡ୍ରେସ ପିନ୍ଧିବା ପୂର୍ବରୁ ଛାତିରେ କ୍ରିମଟି ମାଲିସ କରିବାକୁ । କାରଣ କ୍ରିମ ମାଲିସ କଲେ ଭଲ ସେପ୍‌ ଆସିବ ବୋଲି ମଧ୍ୟ ରାଜା କହିଥିଲେ । ଏମିତି କଥା ଶୁଣି ସେ ଆଶ୍ଚର୍ଯ୍ୟ ହେଉଥିବାବେଳେ ନିଜେ ରାଜା ଆସି ସେହି କ୍ରିମକୁ ତାଙ୍କ ଛାତିରେ ମାଲିସ କରିଥିଲେ । ତାଙ୍କୁ ଏଥିରେ ବହୁତ ଖରାପ ଲାଗିଥିଲା ଓ ସେ ସେଠାରୁ ଦୌଡି ନିଜ ହୋଟେଲ ରୁମକୁ ଫେରି ଆସିଥିଲେ ବୋଲି ସୋନାଲ କହିଛନ୍ତି । ସଂଧ୍ୟାରେ ସୁଟିଂ ପରେ ରାଜା ମଦ ପିଇଥିଲେ । ମଦ ନିଶାରେ ଚୁର ହୋଇ ରାଜା ସୋନାଲଙ୍କ ରୁମ ଭିତରକୁ ପ୍ରବେଶ କରିବା ସହ ସଫଳତା କେମିତି ମିଳେ ତାର ସୂତ୍ର କହିବାକୁ ଚାହିଁଥିଲେ । ରାଜା କହିଥିଲେ ଯେ, ତନ୍ତ୍ର ସାଧନା କଲେ ଶୀଘ୍ର ସଫଳତା ମିଳିବ ଓ ରାତାରାତି ସେ ଷ୍ଟାର ହୋଇଯିବେ । ରାଜା ତାଙ୍କୁ ସେତେବେଳେ ହିଁ ତନ୍ତ୍ର ଶିଖାଇବାକୁ ଚାହିଁଥିଲେ ଓ ସେଥିପାଇଁ ଦେହରୁ ସମସ୍ତ ବସ୍ତ୍ର ବାହାର କରି ମନ୍ତ୍ର ଉଚ୍ଚାରଣ କରିବାକୁ କହିଥିଲେ । ଏଥିରେ ସୋନାଲ ରାଜି ହୋଇନଥିଲେ । ତଥାପି ରାଜା ଜୋରଜବରଦସ୍ତ ସୋନାଲଙ୍କ କପଡା ବାହାର କରିବାକୁ ଉଦ୍ୟମ କରିଥିଲେ । ସୋନାଲ ଏଥିରେ ଅତ୍ୟଧିକ ଭୟଭୀତ ହୋଇଯାଇଥିଲେ । ତେବେ କୌଣସିମତେ ରାଜାଙ୍କ କବଳରୁ ଖସି ସେ ପାଖ ରୁମରେ ରହୁଥିବା ମଡେଲ ଓ ମଡେଲଙ୍କ ମାଙ୍କ ପାଖକୁ ଚାଲିଯାଇଥିଲେ । ସେଠାରେ ସମସ୍ତ ଘଟଣା ମଧ୍ୟ ବର୍ଣ୍ଣନା କରିଥିଲେ । ପରଦିନ ନିଜ ଘରକୁ ଫେରି ପରିବାର ଲୋକଙ୍କୁ ସମସ୍ତ କଥା କହିଥିଲେ ।  ସେ କସ୍ତୁରବା ମାର୍ଗ ପୋଲିସ୍ ଷ୍ଟେସନରେ ଏ ନେଇ ଅଭିଯୋଗ ମଧ୍ୟ କରିଥିଲେ। ସଂପୃକ୍ତ ମଡେଲ ଓ ତାଙ୍କ ମାଁ ମଧ୍ୟ ପୋଲିସକୁ ସମଗ୍ର ଘଟଣା କହିଥିଲେ । ତେବେ ସୋନାଲ ୩ଲକ୍ଷ ଟଂକା ଦାବି କରୁଥିଲେ ଓ ନଦେବାରୁ ଏଭଳି ଅଭିଯୋଗ ଆଣୁଛନ୍ତି ବୋଲି କହି ରାଜା ସେତେବେଳେ ଖସିଯାଇଥିଲେ ବୋଲି ସୋନାଲ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.