ନିର୍ମଳା ସୀତାରମଣ ଦେଶର ସବୁଠୁ କ୍ଷମତାଶାଳୀ ମହିଳା, ସୂଚୀରେ ନାୟକାର ଫାଲଗୁନି ନାୟର ଓ ବାୟୋକନ ଚେୟାରପର୍ସନ ମଧ୍ୟ ଅଛନ୍ତି
8/12/2022 at 2:39 PM

ନୂଆଦିଲ୍ଲୀ ୮।୧୨: ଫୋର୍ବସ୍ ବିଶ୍ୱର ସବୁଠୁ କ୍ଷମତାଶାଳୀ ୧୦୦ ମହିଳାଙ୍କ ସୂଚୀ ଜାରି କରିଛନ୍ତି। ସୂଚୀରେ ଭାରତରୁ ନିର୍ମଳା ସୀତାରମଣ, ବାୟୋକନର କାର୍ଯ୍ୟକାରୀ ଚେୟାରପର୍ସନ କିରଣ ମଜୁମଦାର ସ ଓ ନାୟକା ସଂସ୍ଥାପିକା ଫାଲଗୁନି ନାୟର ମଧ୍ୟ ଅଛନ୍ତି। ଏହି ବାର୍ଷିକ ସୂଚୀରେ ଭାରତରୁ ମୋଟ ୬ ଜଣ ମହିଳାଙ୍କୁ ସ୍ଥାନ ମିଳିଛି। ସୀତାରମଣ ସୂଚୀର ୩୬ ତମ ସ୍ଥାନରେ ଥିବା ବେଳେ ସେ ଲଗାତାର ଚତୁର୍ଥବାର ସ୍ଥାନ ପାଇଛନ୍ତି। ଏହା ପୂର୍ବରୁ ୨୦୨୧ ମସିହାରେ ସେ ସୂଚୀର ୩୭ତମ ସ୍ଥାନରେ ଥିଲେ। ସେହିପରି ୨୦୨୦ରେ ୪୧ ଓ ୨୦୧୯ ମସିହାରେ ୩୪ତମ ସ୍ଥାନରେ ଥିଲେ।

ଫୋର୍ବସ ଦ୍ୱାରା ଜାରି ସୂଚୀ ଅନୁସାରେ ଚଳିତବର୍ଷ କିରଣ ମଜୁମଦାର ସ ୭୨ତମ ସ୍ଥାନରେ ଥିବା ବେଳେ ନାୟକା ସଂସ୍ଥାପିକା ୮୯ତମ ସ୍ଥାନରେ ରହିଛନ୍ତି। ସୂଚୀରେ ସାମିଲ ଅନ୍ୟ ଭାରତୀୟଙ୍କ ମଧ୍ୟରେ ଏଚସିଏଲ ଟେକ୍ର ଚେୟାରପର୍ସନ ରୋଶନୀ ନାଦର ମଲହୋତ୍ରା ୫୩ ତମ ସ୍ଥାନରେ ଥିବା ବେଳେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଚେୟାର ପର୍ସନ ମାଧବୀ ପୁରୀ ବୁଚ୍ ୫୪ତମ ସ୍ଥାନରେ ଅଛନ୍ତି। ସେହିପରି ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ (ସେଲ)ର ଚେୟାରପର୍ସନ ସୀମା ମଣ୍ଡଳ ସୂଚୀର ୬୭ତମ ସ୍ଥାନରେ ରହିଛନ୍ତି।

ରୋଶନୀ ନାଦର ମଲହୋତ୍ରା, କିରଣ ମଜୁମଦାର ସ ଓ ଫାଲଗୁନୀ ନାୟର ଗତବର୍ଷ ମଧ୍ୟ ଏହି ସୂଚୀରେ ଯଥାକ୍ରମେ ୫୨, ୭୨ ଓ ୮୮ତମ ସ୍ଥାନରେ ଥିଲେ। ସୂଚୀରେ ୩୯ ଜଣ ସିଇଓ ଏବଂ ୧୦ ରାଷ୍ଟ୍ରାଧ୍ୟକ୍ଷ ମଧ୍ୟ ଅଛନ୍ତି। ଏହା ଛଡା ୧୧ ଜଣ ବିଲିୟେନିୟରଙ୍କୁ ମଧ୍ୟ ସ୍ଥାନ ମିଳିଛି, ଯେଉଁମାନଙ୍କ ମୋଟ ସମ୍ପତ୍ତିର ପରିମାଣ ୧୧୫ ବିଲିୟନ ଡଲାରରୁ ଅଧିକ।

ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ସୂଚୀର ସର୍ବାଗ୍ରେ ରହିଛନ୍ତି ଇୟୁରୋପୀୟ ଆୟୋଗ ଅଧ୍ୟକ୍ଷା ଉର୍ସୁଲା ଭନ ଡର ଲିୟେନ । ଋଷିଆ-ୟୁକ୍ରେନ ଯୁଦ୍ଧରେ ତାଙ୍କର ନେତୃତ୍ୱ ତଥା କୋଭିଡ-୧୯ ମହାମାରୀ ମୁକାବିଲାରେ ତାଙ୍କର ପ୍ରୟାଶ ତାଙ୍କୁ ଏହି ଉପଲବ୍ଧି ଦେଇଛି। ତାଙ୍କ ପଛକୁ ରହିଛନ୍ତି ଇୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ଅଧ୍ୟକ୍ଷା କ୍ରିଷ୍ଟିନ ଲିଗାର୍ଡ, ସେହିପରି ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ ସୂଚୀର ତୃତୀୟ ସ୍ଥାନରେ ଅଛନ୍ତି। ତେବେ ଇରାନର ଜିନା ମହସା ଅମିନଙ୍କୁ ସୂଚୀରେ ମରଣୋପରାନ୍ତ ୧୦୦ ତମ ସ୍ଥାନ ଦିଆଯାଇଛି।