ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ବିନା ଭକ୍ତରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ, କରୋନା କଟକଣା ପାଇଁ ଦର୍ଶନରୁ ବଞ୍ଚିତ ହେଲେ ସାଧାରଣ ଭକ୍ତ
27/11/2020 at 5:17 PM

ପୁରୀ ୨୭।୧୧: ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ବିନା ଭକ୍ତରେ ନାଗାର୍ଜୁନ ବେଶ । ଦୀର୍ଘ ୨୫ବର୍ଷ ପରେ ମହାପ୍ରଭୁଙ୍କ ଏହି ଦେବ ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥିଲେ ହେଁ କରୋନା କଟକଣା ପାଇଁ ଦର୍ଶନରୁ ବଞ୍ଚିତ ହେଲେ ସାଧାରଣ ଭକ୍ତ । ରାତି ପ୍ରାୟ ୨ଟା ୪୫ରେ ଦ୍ବାର ଫିଟିବା ସହ ହରଚଣ୍ଡି ସାହି ଚକ୍ରକୋଟ ଜାଗାରୁ ପୂଜାର୍ଚ୍ଚନା କରାଯାଇ ପାଟ ପଟୁଆରରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା ବେଶ ସାମଗ୍ରୀ ।ଭୋର ୪ଟା ୪୫ରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲେ ହେଁ ବେଶ ଆରମ୍ଭ ହେଲା ବେଳକୁ ସକାଳ ୭ଟା ବାଜିଯାଇଥିଲା ।
ଦୀର୍ଘ ୨୫ବର୍ଷ ଧରି ଏଭଳି ଦେବ ଦୁର୍ଲଭ ବେଶ ପାଇଁ ସୁଯୋଗ ଆସିଥିବାରୁ ସେବାୟତଙ୍କ ଠାରୁ ଶ୍ରଦ୍ଧାଳୁ ସମସ୍ତଙ୍କ ମନରେ ଥିଲା ଅପୂର୍ବ ଉତ୍ସାହ । ରାତି ୨ଟାରୁ ଆରମ୍ଭ ହୋଇଯାଇଥିଲା ପ୍ରକ୍ରିୟା । ପୁରୀ ହରଚଣ୍ଡି ସାହି ଚକ୍ରକୋଟ ଜାଗା, ଯେଉଁଠି ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଇଥିଲା, ସେଠାରେ ପୂଜାର୍ଚ୍ଚନା କରାଯାଇ ସାଜ ସରଞ୍ଜାମଗୁଡ଼ିକୁ ଶୋଧ କରାଯାଇଥିଲା । ନାଗାର୍ଜୁନ ବେଶ ସାମଗ୍ରୀ ଧରି ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲା ପାଟ ପଟୁଆର । ଘଣ୍ଟଘଣ୍ଟା, ଛତ୍ରୀ, କାହାଳୀ ଓ ଚାଙ୍ଗୁ ବାଜାର ତାଳେ ତାଳେ ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ପୂରା ପରିବେଶ । ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ଓଡ଼ିଶୀ ନାଚୁଥିଲେ ନୃତ୍ୟାଙ୍ଗନା । ସେମାନଙ୍କ ଅଙ୍ଗଭଙ୍ଗୀରୁ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଭାବ ବେଶ୍ ବାରି ହୋଇପଡ଼ୁଥିଲା ।

ସେପଟେ ରାତି ୨ଟା ୪୫ରେ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଥିବା ବେଳେ ଭୋର୍ ୪ଟା ୧୦ବେଳକୁ ବେଶ ସାମଗ୍ରୀ ନେଇ ଶ୍ରୀମନ୍ଦିରରେ ପହଞ୍ଚିଥିଲେ ସେବାୟତ। ଭୋର ୪ଟା ୪୫ରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲେ ହେଁ ବେଶ ଆରମ୍ଭ ହେଲା ବେଳକୁ ସକାଳ ୭ଟା ବାଜିଯାଇଥିଲା । ରତ୍ନ ସିଂହାସନ ଉପରକୁ ଅଧିକ ସଂଖ୍ୟକ ସିଂହାରୀ ସେବାୟତ ଚଢ଼ିବା ନେଇ ସିଂହାରୀ ଓ ମେକାପ ସେବାୟତଙ୍କ ଭିତରେ ଦ୍ବନ୍ଦ୍ବ ଉପୁଜିଥିଲା । ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ପରେ ଆରମ୍ଭ ହୋଇଥିଲା ବେଶ । ଦିନ ୧୦ଟା ୧୫ ବେଳକୁ ଶେଷ ହୋଇଥିଲା ବେଶ ।
ଶ୍ରୀକ୍ଷେତ୍ରରେ ସାହିଯାତ ପରମ୍ପରା ସହ ରାମାୟଣର ପର୍ଶୁରାମ ଚରିତ୍ର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶର ସମ୍ପର୍କ ରହିଥିବା କୁହାଯାଉଛି । ରାମାନନ୍ଦଙ୍କ ପ୍ରଭାବରେ ଏହି ବେଶ ଆରମ୍ଭ ହୋଇଥିବା ବିଶ୍ଵାସ ରହିଛି। ପୌରାଣିକ ମତରେ ପର୍ଶୁରାମଙ୍କ ସହସ୍ରାର୍ଜୁନ ବଧ କିମ୍ବା ଅର୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧ ସ୍ମୃତି ସ୍ବରୂପ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଦୀର୍ଘ ୨୫ବର୍ଷର ବ୍ୟବଧାନରେ ମହାପ୍ରଭୁଙ୍କ ଏହି ଦେବ ଦୁର୍ଲଭ ନାଗାର୍ଜୁନ ବେଶ ହୋଇଥିଲେ ହେଁ କରୋନା କଟକଣା ପାଇଁ ଏଥର ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ ବିନା ଭକ୍ତରେ ନାଗାର୍ଜୁନ ବେଶ ।

ନାଗାର୍ଜୁନ ବେଶର ତମାମ ପ୍ରକ୍ରିୟା ଭିତରେ ନୀତି ବିଳମ୍ବ ଓ ବିଶୃଙ୍ଖଳିତ ଦର୍ଶନ ପ୍ରଶାସନର ବ୍ୟବସ୍ଥା ପ୍ରତି ସୃଷ୍ଟି କରିଛି ପ୍ରଶ୍ନବାଚୀ । ନିର୍ଦ୍ଧାରିତ ସମୟରେ ବେଶ ଆରମ୍ଭ ହୋଇନପାରିବା ଏବଂ ପ୍ରାୟ ୩ଘଣ୍ଟା ବିଳମ୍ବରେ ବେଶ ସରିବା ନୀତିକାନ୍ତିରେ ବିଭ୍ରାଟକୁ ସୂଚାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ସାମ୍ନାରେ ଅନେକ ଅଣସେବାୟତ ଶ୍ରୀମନ୍ଦିରକୁ ପ୍ରବେଶ କରିବା ନେଇ ବଶୃଙ୍ଖଳା ମଧ୍ୟ ସାମ୍ନାକୁ ଆସିଛି । ତେବେ ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦ୍ବାହି ଦେଇ ପଲ୍ଲା ଝାଡ଼ିବାକୁ ଚେଷ୍ଟା କରିଛିଶ୍ରୀମନ୍ଦିର ପ୍ରଶାସନ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପରେ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ହୋଇଥିଲା । ଜଗନ୍ନାଥ ବଲ୍ଲଭ ମଠରେ ଭକ୍ତଙ୍କ ଲାଗି ମହାପ୍ରସାଦ ବ୍ୟବସ୍ଥା ହୋଇଥିଲା । ଅପରାହ୍ଣରେ ବେଶ ଓଲାଗି ହୋଇଛି । ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ସାମଗ୍ରୀକୁ ଭକ୍ତମାନେ ଦେଖିବା ପାଇଁ ସଂରକ୍ଷଣ କରି ରଖାଯିବ ।