ପ୍ରତିଶୋଧ ପାଇଁ ଭାଇ ସହ ମିଶି ସ୍ଵାମୀକୁ ହତ୍ୟା କଲା ସ୍ତ୍ରୀ, ତିନି ଅଭିଯୁକ୍ତ ଗିରଫ

Published By : Prameya-News7 Bureau | August 24, 2022 IST

ଦେବଗଡ: ମଙ୍ଗଳବାର  ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ କାଲକାଠ ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡ ଉପରୁ ପରଦା ହଟିଛି।  ସ୍ତ୍ରୀ ପ୍ରତିଶୋଧ ନେବାପାଇଁ ସ୍ବାମୀକୁ ନିଜ ଦୁଇ ଭାଇ ସହ ମିଶି ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣା ପଡିଛି। ଅଭିଯୁକ୍ତମାନେ ନିଜର ଦୋଷ ମଧ୍ୟ ସ୍ଵୀକାର କରିଛନ୍ତି। ପୋଲିସ୍ ଅଭିଯୁକ୍ତ ସ୍ତ୍ରୀ ଏବଂ ଦୁଇ ଶଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ କାଲକାଠ ଗ୍ରାମ କିଶାନ ସାହିରେ ଜଣେ ବ୍ୟକ୍ତିଙ୍କୁ କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତକ ଜଣଙ୍କ ହେଲେ କାଲକାଠ ଗ୍ରାମ କିଶାନ ସାହିର ହୃଦାନନ୍ଦ କିଶାନ ।  ହୃଦାନନ୍ଦଙ୍କ ରକ୍ତାକ୍ତ ମୃତ ଦେହ ତାଙ୍କର ଅର୍ଦ୍ଧନିର୍ମିତ ଘର ମଧ୍ୟରେ ପଡିଥିବା ଅବସ୍ଥାରେ ଦେଖିବା ପରେ ପରିବାର ପକ୍ଷରୁ ପୋଲିସ କୁ ସୂଚନା ଦିଆଯାଇଥିଲା । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ କରିଥିଲେ । ମୃତ ଦେହ ନିକଟରୁ ପୋଲିସ ଏକ ରକ୍ତ ଲଗା ଟାଙ୍ଗିଆ ଜବତ କରିଥିଲେ । ଘଟଣାର ଗୁରୁତ୍ବ ଦୃଷ୍ଟିରୁ ଦେବଗଡ ଏସପି ପ୍ରମୋଦ ରଥ, ଏସଡିପିଓ ପ୍ରତ୍ୟୁଷ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲେ ।

{"id":675583,"sizeSlug":"full","linkDestination":"none"}

ସନ୍ଦେହରେ ପୋଲିସ ପକ୍ଷରୁ  ପରିବାରର ପାଞ୍ଚ ଜଣ ସଦସ୍ୟ ସଦସ୍ୟା ଙ୍କୁ ଅଟକ ରଖି ପଚରାଉଚୁରା କରାଯାଇଥିବା ବେଳେ ହତ୍ୟାକାଣ୍ଡ ମୃତକଙ୍କ ସ୍ତ୍ରୀ ଓ ଦୁଇ ଶଳା ମିଶି ଘଟାଇଥିବା ଜଣାପଡିଛି । ମୃତ ହୃଦାନନ୍ଦ କିଶାନ ଜଣେ ମଦ୍ୟପ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ମଦ ପିଇ ସବୁବେଳେ ସ୍ତ୍ରୀ ଉପାସୀ କିଶାନଙ୍କୁ ମାଡପିଟ କରୁଥିଲେ। ଘଟଣା ସମୟରେ ହୃଦାନନ୍ଦ ଘରେ ଭାତ ରାନ୍ଧୁଥିବା ବେଳେ ସ୍ତ୍ରୀ ଉପାସୀକୁ ମାଂସ ଆଣିବାକୁ ଏକ ଶହ ଟଙ୍କା ଦେଇ ପଠାଇଥିଲେ। ମାତ୍ର ଉପାସୀ ମାଂସ ଆଣିବାକୁ ଯିବାପାଇଁ ଅମଙ୍ଗ ହେବାରୁ ହୃଦାନନ୍ଦ ମଦନିଶାରେ ତାଙ୍କୁ ଚୁଟି ଓଟାରି ପିଟିଥିଲେ। ଉପାସୀଙ୍କ ବାପା ଘର ମଧ୍ୟ ସେହି ଗ୍ରାମରେ ହୋଇଥିବା ବେଳେ ସେ ତାଙ୍କ ଭାଇକୁ ଡାକ ପକାଇଥିଲେ।

ଭଉଣୀ ଉପାସୀ ର ଡାକ ଶୁଣି ଦୁଇ ଭାଇ ସୁରେନ୍ଦ୍ର କିଶାନ ଓ ନନ୍ଦ କିଶାନ ହୃଦାନନ୍ଦଙ୍କ ଘରେ ପହଞ୍ଚି ଥିବା ବେଳେ ଭିଣୋଇ ସେମାନଙ୍କ ବଡ ଭଉଣୀଙ୍କୁ ମାଡପିଟ କରୁଥିବା ଦେଖିଥିଲେ । ଉଭୟ ଭାଇ ହୃଦାନନ୍ଦ ଙ୍କୁ ମାଡପିଟ ରୁ ଅଲଗା କରିଥିବା ବେଳେ ସ୍ତ୍ରୀ ଉପାସୀ ରାଗରେ ପ୍ରତିଶୋଧ ନେବାକୁ ସେମାନଙ୍କୁ କହିଥିଲେ। ଉପାସୀ ମଦରେ ଚୁର ହୃଦାନନ୍ଦ ଙ୍କୁ ଭିଡି ଧରିଥିବା ବେଳେ ଟାଙ୍ଗିଆ ଆଣି ହତ୍ୟା କରିବାକୁ ଭାଇ ମାନଙ୍କୁ କହିଥିଲେ । ଫଳରେ ଭାଇ ମାନେ ହୃଦାନନ୍ଦ ଙ୍କୁ ତଳେ ପକାଇ ଦେଇ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ।

ହତ୍ୟା ପରେ କେହି ଅଜଣା ଦୁର୍ବୃତ୍ତ ହୃଦାନନ୍ଦଙ୍କୁ ହତ୍ୟା କରିଥିବା ନେଇ ପୋଲିସ ପାଖରେ ଅଭିଯୋଗ କରିଥିଲେ। ପୋଲିସ ପକ୍ଷରୁ ତଦନ୍ତ ବେଳେ ପାରିପାର୍ଶ୍ବିକ ପରିସ୍ଥିତି ଓ ସମସ୍ତ ଦିଗକୁ ଦେଖିବା ପରେ ପରିବାର ଲୋକ ହତ୍ୟା କାଣ୍ଡ ଭିଆଇଥିବା ସୂଚନା ମିଳିଥିଲା । ପରେ ସ୍ତ୍ରୀ ଓ ଦୁଇ ଶଳା ହତ୍ୟା କାଣ୍ଡ ଘଟାଇଥିବା ନେଇ ସ୍ବୀକାର କରିଥିଲେ। ଏନେଇ ଦେବଗଡ ଆଦର୍ଶ ଥାନା ପୋଲିସ ଏକ କେଶ ନଂ 635/2022 ଦଫା 450, 302 ଅନୁଯାୟୀ ଋଜୁ କରିବା ସହ ମୃତକଙ୍କ ସ୍ତ୍ରୀ ଉପାସୀ କିଶାନ, ଦୁଇ ଶଳା ସୁରେନ୍ଦ୍ର କିଶାନ ଓ ନନ୍ଦ କିଶାନ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.