ଆସୁଛି ଦଶହରା: ଅପରାଧ ନିୟନ୍ତ୍ରଣ ପାଇଁ କଟକରେ ଅତ୍ୟାଧୁନିକ ସିସିଟିଭି କଣ୍ଟ୍ରୋଲ ରୁମ୍ ଉଦଘାଟିତ
15/09/2022 at 5:51 PM

କଟକ ୧୫/୦୯: ପାର୍ବଣ ସମୟରେ ଅପରାଧ ରୋକିବାକୁ କମିଶନରେଟ୍ ପୋଲିସର ନୂଆ ଉଦ୍ୟମ। ପ୍ରତ୍ୟକ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧି ଉପରେ ତିକ୍ଷ୍ଣ ନଜର ରଖିବ ପୋଲିସ। ଦୁର୍ଗାପୂଜାକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି। ଏହାକୁ ଶାନ୍ତିଶୃଙ୍ଖଳାରେ ପରିଚାଳନା କରିବାକୁ କମିଶନରେଟ ପୋଲିସ ଏକ ଅତ୍ୟାଧୁନିକ ସିସିଟିଭି ଲାଇଭ ଫୁଟେଜ କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରିଛି। ଏଥିରେ ସହରର ବିଭିନ୍ନ ଜାଗାରେ ଲାଗିଥିବା ୨୦୧ଟି ସିସିଟିଭିର ଲାଇଭ ଫୁଟେଜକୁ ସଂଯୋଗ କରାଯାଇଛି।
ଆଗକୁ ଏହି ସଂଖ୍ୟା ୫୦୦କୁ ବଢ଼ିବ ବୋଲି କୁହାଯାଇଛି। ପୂଜା କମିଟି, ସାହି କମିଟି, ବ୍ୟବସାୟୀ ସଂଘର ସହଯୋଗ ରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଅନବରତ ଏକ ଟିମ ନଜର ରଖିବ। ଆଗକୁ ପର୍ବ ପର୍ବାଣି ସମୟରେ ବିଶୃଙ୍ଖଳା ଓ ଅନ୍ୟ ଅପରାଧ ଚିହ୍ନଟ କରିବାରେ ଏହା ସହାୟକ ହେବ ବୋଲି ପୋଲିସ ଆଶା ରଖିଛି। ଏହି ଅତ୍ୟାଧୁନିକ କଣ୍ଟ୍ରୋଲ୍ ରୁମ୍ ଡିସିପିଙ୍କ କାର୍ଯ୍ୟାଳୟରେ ଉଦଘାଟିତ ହୋଇଛି। ଏହି କଣ୍ଟ୍ରୋଲ ରୁମରେ ସବୁବେଳେ ତିକ୍ଷ୍ଣ ନଜର ରଖିବାକୁ ପୋଲିସ ଅଧିକାରୀଙ୍କ ସହ ହାବିଲଦାର ଏବଂ କନେଷ୍ଟବଲଙ୍କୁ ନିୟୋଜିତ କରା ଯାଇଛି। ଆସନ୍ତା ୭ ଦିନ ମଧ୍ଯରେ ସହରରେ ଆଉ ଶହେଟି କ୍ୟାମେରା ଲାଗିବାର ଯୋଜନା ଥିବା ବେଳେ ପୂଜା ପୂର୍ବରୁ ୫୦୦ କ୍ୟାମେରା ସହରରେ ଲାଗିବ ବୋଲି ଡିସିପି କହିଛନ୍ତି।