ଏହି ଫୁଡ ଡେଲିଭରୀ ଆପ୍ ଉପରେ ଲାଗିଲା ୫ ବିଲିୟନର ଜରିମନା, ଜାଣନ୍ତୁ କାହିଁକି ?
25/01/2023 at 7:22 PM

ମାଦ୍ରିଦ୍ ୨୫।୧: ଆପ୍ ଆଧାରିତ ସ୍ପେନୀୟ ଫୁଡ ଡେଲିଭରୀ ଷ୍ଟାର୍ଟଅପ୍ ‘ଗ୍ଲୋଭୋ’ ବିରୋଧରେ ଶ୍ରମ ଆଇନ ଉଲ୍ଲଂଘନ ଲାଗି ୫୭ ମିଲିୟନ ୟୁରୋ ଅର୍ଥାତ ୫,୦୭,୧୨,୯୬୩୬୧.୭୭ ଟଙ୍କା ଜରିମନା ହୋଇଛି। ସ୍ପେନ୍ ଶ୍ରମ ମନ୍ତ୍ରାଳୟ ଏହି ଜରିମନା ଆଦେଶ କରିଛନ୍ତି। ଜର୍ମାନ କମ୍ପାନୀ ଡେଲିଭରୀ ହିରୋ ମାଲିକାନାର ଏହି କମ୍ପାନୀ ଗ୍ଲୋଭୋ ତାଙ୍କ ରାଇଡର୍ସଙ୍କୁ ୨୦୨୧ ଆଇନ ଅନୁସାରେ ଉଚିତ ରୋଜଗାର ବୁଝାମଣା ନ କରି ୱାର୍କ ଲାଇସେନ୍ସ ବିନା କାମ କରାଉଥିଲେ ବୋଲି ଅଭିଯୋଗ ହୋଇଛି।

କମ୍ପାନୀ ୮୦୦ ଅନ ଡକ୍ୟୁମେଣ୍ଟେଡ୍ ଇମିଗ୍ରାଣ୍ଟଙ୍କୁ କାମରେ ରଖିଥିଲା। ଏଣୁ କମ୍ପାନୀ ଉପରେ ଏହି ବିଶାଳ ଜରିମନା ହୋଇଛି। ଅଗଷ୍ଟ ୨୦୨୧ରେ ଲାଗୁ ହୋଇଥିବା ରାଇଡର ଆଇନ ଅନୁସାରେ କୋରିୟରମାନେ ଯେଉଁମାନେ ସାଧାରଣତଃ ସାଇକେଲ ଓ ମୋଟର ସାଇକେଲରେ ଖାଦ୍ୟ ନେଇ ଯାଉଛନ୍ତି ସେମାନଙ୍କୁ କର୍ମଚାରୀ ଭାବେ ପରିଚିତ କରାଯାଏ ସ୍ୱତନ୍ତ୍ର ଠିକାଦାର ଭାବେ ନୁହେଁ ତେବେ ଗ୍ଲୋଭୋ ସେମାନଙ୍କୁ ସ୍ୱତନ୍ତ୍ର ଠିକାଦାର ଭାବେ କାମ କରାଉଥିଲା।

ଇୟୁରୋପରେ ଡେଲିଭରୀ କର୍ମଚାରୀମାନେ ଆଇନ ଦ୍ୱାରା ନିୟନ୍ତ୍ରିତ ହୋଇଥାନ୍ତି। ବିଶେଷ କରି ଯେଉଁମାନେ ମୋଟର ବାଇକ୍ ଓ ସାଇକେଲରେ ଯାତ୍ରା କରନ୍ତି ସେମାନଙ୍କ ଲାଗି ଏହି ଆଇନ ଲାଗୁ ହୋଇଥାଏ। ଶ୍ରମମନ୍ତ୍ରୀ ୟୋଲାଣ୍ଡା ଡିଆଜ କହିଛନ୍ତି ଯେ କମ୍ପାନୀ ଚାହେ ଛୋଟ ହେଉ କି ବଡ ଆଇନ ବାହାରେ ପରିଚାଳିତ ହେବା ଉଚିତ ନୁହେଁ। ତେବେ ଶ୍ରମମନ୍ତ୍ରାଳୟଙ୍କ ଜରିମନାକୁ ନେଇ କମ୍ପାନୀ ଅପିଲ କରିବ ବୋଲି କହିଛି। ଶ୍ରମମନ୍ତ୍ରାଳୟଙ୍କ ଦ୍ୱାରା ଉଲ୍ଲେଖିତ ଉଲ୍ଲଂଘନ ରାଇଡର ଆଇନ ଲାଗୁ ହେବା ପୂର୍ବରୁ ହୋଇଥିଲା ବୋଲି କମ୍ପାନୀ କହିଛି।