କମିଛି ଶୀତ ହେଲେ ବଢୁଛି କୁହୁଡି ; ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡିର ଆସ୍ତରଣ

Published By : Prameya-News7 Bureau | January 21, 2019 IST

ଭୁବନେଶ୍ବର ୨୧|୧: ରାଜ୍ୟରେ ଶୀତ କମିଛି ।  ହେଲେ ଆହୁରି ୪୮ ଘଣ୍ଟା  କଲବଲ କରିବ କୁହୁଡ଼ି।  ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳୁଛି ।  ସନ୍ଧ୍ୟା ୭ଟାରୁ କୁହୁଡ଼ି ଆରମ୍ଭ ହୋଇ ଧୀରେ ଧୀରେ ଏହା ବୃଦ୍ଧି ପାଉଛି ।  ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ ପ୍ରବଳ କୁହୁଡ଼ି ହେବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । ରାତି ୯ଟାରୁ ସକାଳ ୧୧ଟା ପର୍ଯ୍ୟନ୍ତ କୁହୁଡ଼ିର ପ୍ରଭାବ ଅଧିକ ପରିଲକ୍ଷିତ ହେବ । ଅନ୍ୟ ଅଞ୍ଚଳ ଅପେକ୍ଷା କଟକ-ଭୁବନେଶ୍ବରରେ ସ୍ଥିତି ଟିକିଏ ଭଲ ରହିବ। ଏହି ଦୁଇ ସହରରେ ରାତି ୧୧ଟା ପର୍ଯ୍ୟନ୍ତ ଅଧିକ ଗାଡ଼ି ଚଳାଚଳ କରୁଥିବାରୁ କୁହୁଡ଼ିର ମାତ୍ରା ଏତେ ରହିବନି।  କିନ୍ତୁ ଭୋର ସମୟରେ ଅଧିକ ପ୍ରଭାବ ପଡ଼ିବ। ଜାତୀୟ ରାଜପଥ ୧୬ରେ ଚଳାଚଳ କରୁଥିବା ଗାଡ଼ିଗୁଡ଼ିକ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। 

{"id":76341}

୨୩ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ପଡ଼ିବ। ୨୪ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। କୁହୁଡ଼ି ମାତ୍ରା କମିବା ସହ ରାତିର ତାପମାତ୍ରା ଗୋଟିଏ ଦୁଇ ଡିଗ୍ରୀ ବଢ଼ିବ। ଅନ୍ୟପକ୍ଷରେ କୁହୁଡ଼ି ପଡ଼ୁଥିବାରୁ ଉପକୂଳ ଓଡ଼ିଶାରେ ପାରଦ ସାମାନ୍ୟ ବୃଦ୍ଧି ପାଇଛି। ଆଗଭଳି ଥଣ୍ଡା ହେଉ ନାହିଁ। ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ଇତିମଧ୍ୟରେ ୧୪ ଡିଗ୍ରୀ ଟପିଥିବା ବେଳେ କଟକ ୧୨ ଡିଗ୍ରୀ ପାର ହୋଇଛି। ପୁରୀ, ଗୋପାଳପୁର, ପାରାଦୀପରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ଟପିଛି। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ରହିଥିଲା। ଏହା ତଳକୁ ଅନୁଗୁଳରେ ୮.୮, ସମ୍ବଲପୁରରେ ୯, ଝାରସୁଗୁଡ଼ାରେ ୯.୧, ସୋନପୁରରେ ୯.୨, ଭବାନୀପାଟଣା ଓ ଟିଟିଲାଗଡ଼ରେ ୯.୫, କେନ୍ଦୁଝରରେ ୯.୬ ଡିଗ୍ରୀ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.