ରାଜ୍ୟରେ କମିବ ଶୀତ, ୩ ଦିନ ଯାଏଁ ଜାରି ରହିବ କୁହୁଡି ପ୍ରକୋପ

Published By : Prameya-News7 Bureau | January 13, 2023 IST

ଭୁବନେଶ୍ୱର ୧୩/୦୧: ଭୁବନେଶ୍ୱର, ଶୀତ କମିବ । ରାତି ତାପମାତ୍ରା ପ୍ରାୟ ୨-୩ ଡିଗ୍ରୀ ସେଲିୟସ୍‌ ବଢ଼ିଯିବ । ଅନ୍ୟପଟେ ରାଜ୍ୟରେ କୁହୁଡ଼ି ପ୍ରକୋପ ବଢ଼ିବ । ବିଳମ୍ବିତ ରାତିରୁ ସକାଳ ଯାଏ ମାଡ଼ିବ କୁହୁଡ଼ି । ଆସନ୍ତା ୩ ଦିନ ଧରି କୁହୁଡ଼ି ଅଧିକ ରହିବ । ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଆଭ୍ୟନ୍ତରୀଣ ଅଞ୍ଚଳରେ କୁହୁଡ଼ି ନେଇ ସତର୍କତା ଜାରି କରାଯାଇଛି । ଗୁରୁବାର ସକାଳେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଥିଲା ।

ପାଣିପାଗ ବିଭାଗ ସତର୍କ କରାଇଛି, ଶୁକ୍ରବାର ସକାଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ମଧ୍ୟମ ଧରଣର କୁହୁଡ଼ି ରହିବ । ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, କେନ୍ଦୁଝର, ଯାଜପୁରର କେତେକ ଜାଗାରେ ଘନ କୁହୁଡ଼ି ସମ୍ଭାବନା ଅଛି । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଆସନ୍ତା ୧୩ ତାରିଖ ରାତି ଓ ୧୪ ତାରିଖ ସକାଳେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳରେ ଘନ କୁହୁଡ଼ି ସମ୍ଭାବନା ଅଛି । ୧୪ ତାରିଖ ରାତି ଓ ୧୫ ତାରିଖ ସକାଳେ ଅନୁଗୁଳ, ଢେଙ୍କାନାଳ, କଟକ, ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡ଼ି ନାକେଦମ କରିବ । ଏହି ସମୟରେ ରାସ୍ତାରେ ଯାତାୟାତ କରୁଥିବା ଯାନବାହନ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଏନେଇ ପୁଲିସ ଓ ପରିବହନ ଅଧିକାରୀ ଆବଶ୍ୟକ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏ ନେଇ ସୂଚନା ଜାରି କରାଯାଇଛି । ଉପକୂଳରେ ଶୀତ ସାମାନ୍ୟ କମିଥିବାବେଳେ ଦକ୍ଷିଣ ଓ ଆଭ୍ୟନ୍ତରୀଣରେ ଶୀତର ପ୍ରକୋପ ରହିଛି । ବୁଧବାର ରାତିରେ ଫୁଲବାଣୀ ତାପମାତ୍ରା ୭, କୋରାପୁଟ ୭.୫, ଝାରସୁଗୁଡ଼ା ୮.୮, ସୁନ୍ଦରଗଡ଼ ୯, ଦାରିଙ୍ଗିବାଡ଼ି ୮.୫, ନବରଙ୍ଗପୁର ୯.୪ ଡିଗ୍ରୀ ସେଲସିୟସ୍‌ ଥିଲା । ବାଲେଶ୍ୱରକୁ ଛାଡ଼ି ଉପକୂଳ ଓଡ଼ିଶାରେ ପାରଦ ପ୍ରାୟତଃ ୧୫ ଡିଗ୍ରୀ ଉପରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.