<strong>ମାଲେସିଆରେ ବନ୍ୟା; ଘର ଛାଡ଼ିଲେ ୪୦ ହଜାର ଲୋକ, ୪ ମୃତ</strong>

Published By : Prameya-News7 Bureau | March 04, 2023 IST

କ୍ୱାଲା ଲୁମ୍ପୁର: ମୂଷଳ ଧାରାରେ ବର୍ଷା ଯୋଗୁ ସିଙ୍ଗାପୁର ବର୍ଡର ମାଲେସିଆର ଦକ୍ଷିଣାଞ୍ଚଳ ଜୋହର ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ୪୦ ହଜାର ଲୋକଙ୍କୁ ଘର ଛାଡ଼ିବାକୁ ପଡ଼ିଛି। ଏହି ବନ୍ୟାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଶନିବାର ଜୋହର ସରକାର ସୂଚନା ଦେଇଛନ୍ତି।

ବାତୁ ଫହାଟ ଜିଲ୍ଲାର ମହମ୍ମଦ ନୂର ସାଦଙ୍କ କହିବା ଅନୁସାରେ, ଜୋହର ରାଜ୍ୟର ଉପକୂଳ ଏରିଆରେ ନଭେମ୍ବର ଓ ଡିସେମ୍ବର ସମ୍ଭାବ୍ୟ ବନ୍ୟା ପାଇଁ ଲୋକେ ପ୍ରସ୍ତୁତ ହୋଇ ରହିଥାନ୍ତି। ସମସ୍ତଙ୍କ ଘରେ ଗୋଟିଏ ଗିଟିଏ ଡଙ୍ଗା ରହିଥାଏ। ହେଲେ ଏଥର ହଠାତ ପାଣିପାଗରେ ପରିବର୍ତ୍ତନ ଓ ବନ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ବୋଲି ସେ କହିଛନ୍ତି।

ଗତ କିଛି ଦିନ ହେଲା ଜୋହର ରାଜ୍ୟରେ ମୂଷଳ ଧାରାରେ ବର୍ଷା ହେଉଥିବା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସରକାର ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବନ୍ୟା ପାଇଁ ଯେଉମାନେ ଘର ଛାଡ଼ିଛନ୍ତି ସେମାନଙ୍କ ପାଇଁ ଅସ୍ଥାୟୀ ଭାବେ ୨୦୦ ରିଲିଫ୍ ଟେଣ୍ଟର ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ସୂଚନା ଦେଇଛି।

ସୂଚନା ଥାଉକି ମାଲେସିଆର ମୌସୁମୀ ଋତୁରେ ଅକ୍ଟୋବରୁ ମାର୍ଚ୍ଚ ମଧ୍ୟରେ ବର୍ଷା ଓ ବନ୍ୟା ହେବା ସାଧାରଣ କଥା। କିନ୍ତୁ ଚଳିତ ବର୍ଷ ଅଧିକ ବର୍ଷା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଲୋକଙ୍କ ଦାଣ୍ଡ ଦୁଆରେ ଜଙ୍ଗ ଉଚ୍ଚାରେ ପାଣି ଚାଲିଛି। ଏପଟେ ଆହୁରି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ବିଶେଷ କରି ଦକ୍ଷିଣ ରାଜ୍ୟଗୁଡ଼ିକରେ ତୀବ୍ର ବର୍ଷା ହେଇପାରେ ବୋଲି ପାଣିପାଗ ବିଭାଗ ଚେତାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.