ନେପାଳରେ ବନ୍ୟା ବିତ୍ପାତ, ଲଗାଣ ବର୍ଷାରେ ଅନେକ ସହର ଜଳମଗ୍ନ, ୩୯ ମୃତ

Published By : Prameya-News7 Bureau | September 28, 2024 IST

କାଠମାଣ୍ଡୁ ୨୮।୯: ନେପାଳରେ ଜାରି ଲଗାଣ ବର୍ଷା ଡାକି ଆଣିଛି ବନ୍ୟା। ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ନେପାଳ ବନ୍ୟାରେ ଏପର୍ଯ୍ୟନ୍ତ ୩୯ ଜଣଙ୍କ ମୃତ୍ୟୁ ହେଲାଣି। ଶୁକ୍ରବାରଠାରୁ ଜାରି ବର୍ଷାରେ ନେପାଳର ଅନେକ ସହରାଞ୍ଚଳ ଜଳମଗ୍ନ ହୋଇଛି। ମୁଶଳଧାର ବର୍ଷା ଲାଗି ରହିଥିବାରୁ ବିପର୍ଯ୍ୟୟ ପ୍ରସମନ ଅଧିକାରୀ ବନ୍ୟା ଚେତାବନୀ ଜାରି କରିଛନ୍ତି। 

ମାଇଁ ରିପବ୍ଲିକ୍ ଡଟକମ ରିପୋର୍ଟ ଅନୁସାରେ ରାଜଧାନୀ କାଠମାଣ୍ଡୁରେ ୯, ଲଳିତପୁରରେ ୧୬, ଭକ୍ତପୁରରେ ୫, କଭରେପାଲନ ଚୌକରେ ୩, ପଞ୍ଚଥର ଓ ଧନକୁଟାରେ ୨ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଝାପା ଓ ଧାଡିଂରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ବନ୍ୟା ଯୋଗୁ ୧୧ ଜଣ ନିଖୋଜ ଥିବା ସୂଚନା ମିଳିଛି। ପୋଲିସ ସୂଚନା ଅନୁସାରେ ରାଜଧାନୀ କାଠମାଣ୍ଡୁରେ ୨୨୬ ଘର ବନ୍ୟାଘେରରେ ରହିଛି। ପ୍ରଭାବିତ ଅଞ୍ଚଳରେ ନେପାଳ ପୋଲିସ ପକ୍ଷରୁ ପାଖାପାଖି ୩ ହଜାର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। 

ଅନ୍ୟପଟେ ନେପାଳରେ ହେଉଥିବା ବର୍ଷା ବିହାରରେ କୋଶି ଓ ଗଣ୍ଡକ ନଦୀରେ ଜଳସ୍ତର ବୃଦ୍ଧିର କାରଣ ପାଲଟିଛି। ଫଳରେ ତଳିଆ ଅଞ୍ଚଳ ପାଇଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ନେପାଳରେ ଗୁରୁବାରଠାରୁ ବର୍ଷା ଲାଗି ରହିଛି। ଦେଶରେ ଜାରି ବର୍ଷା ଯୋଗୁ ନେପାଳ ଶିକ୍ଷା ବିଭାଗ ସମସ୍ତ ଶିକ୍ଷାନୁଷ୍ଠାନକୁ ୩ ଦିନ ନିମନ୍ତେ ଛୁଟି ଘୋଷଣା କରିଛି। ବର୍ଷା ଯୋଗୁ ଉପୁଜିଥିବା ବନ୍ୟା ପରିସ୍ଥିତିରେ ପାଖାପାଖି ୪୪ଟି ସ୍ଥାନରେ ମୁଖ୍ୟ ରାଜମାର୍ଗ ଅବରୋଧ ହୋଇଛି। ସେହିପରି ବନ୍ୟା ଯୋଗୁ ଟ୍ରାନ୍ସମିସନ ଲାଇନ ବାଧିତ ହେବା ଯୋଗୁ ଶନିବାର ଦିନତମାମ କାଠମାଣ୍ଡୁରେ ବିଦ୍ୟୁତ ଯୋଗାଣ ପ୍ରଭାବିତ ହୋଇଛି। 

ଉପରମୁଣ୍ଡରେ ବର୍ଷା ଯୋଗୁ ତଳମୁଣ୍ଡ ବିହାରରେ କେତେକ ଜିଲ୍ଲା ଲାଗି ବନ୍ୟା ଆଶଙ୍କା ଦେଖାଦେଇଛି। ଜଳ ସଂସାଧନ ବିଭାଗ ଅନୁସାରେ ଆଗାମୀ ୨୪ ଘଣ୍ଟାରେ ବିହାରର ୧୩ ଜିଲ୍ଲାରେ ଭୀଷଣ ବନ୍ୟା ଆଶଙ୍କା କରାଯାଉଛି। ଏଣୁ ସରକାର ଏହି ୧୩ ଜିଲ୍ଲାଙ୍କୁ ହାଇଆଲର୍ଟରେ ରଖିଛନ୍ତି। କୋଶି ଓ ଗଣ୍ଡକ ନଦୀ ଆଗାମୀ ସମୟରେ ପ୍ରଳୟ ରୂପ ଧାରଣ କରିପାରନ୍ତି। ଶନିବାର ମଧ୍ୟାହ୍ନ ୧୨ଟା ବେଳେ କୋଶି ବ୍ୟାରେଜର ୫୬ଟି ଫାଟକ ଖୋଲି ଦିଆଯାଇଛି।  ସେହିପରି ଗଣ୍ଡକ ବ୍ୟାରେଜରୁ ୪ ଲକ୍ଷ କ୍ୟୁସେକ ପାଣି ପ୍ରବାହୀତ ହେଉଥିବା ଅଧିକାରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.