ଖୋର୍ଦ୍ଧା ବ୍ଲକ୍ର ୩ ପଞ୍ଚାୟତର ୧୦ରୁ ଅଧିକ ଗାଁ ପାଣି ଘେରରେ
17/08/2022 at 2:43 PM

ଖୋର୍ଦ୍ଧା ୧୭।୮: ହୀରାକୁଦରୁ ୩୦ରୁ ଉର୍ଦ୍ଧ୍ବ ଗେଟ୍ ଖୋଲିବା ପରେ ରାଜୁଆ ନଦୀ ଫୁଲୁଛି । ଏହାର ପ୍ରଭାବରେ ରାଜୁଆ ବ୍ୟାକ୍ ଓ୍ବାଟର ପାଣି ଖୋର୍ଦ୍ଧା ବ୍ଲକ୍ ନରଣଗଡ ଏବଂ ଓରବରସିଂହ ପଞ୍ଚାୟତର ୧୦ରୁ ଉର୍ଦ୍ଧ୍ବ ଗ୍ରାମ ପାଣି ଘେରରେ ରହିଛି । ଓରବରସିଂହ ପଞ୍ଚାୟତର ହିରିମୂଳ, ଡିହଖଳା, ଦୁର୍ଗାପୁର ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଗ୍ରାମବାସୀଙ୍କ ଯାତାୟାତ ଲାଗି ପ୍ରଶାସନ ପକ୍ଷରୁ ଡଙ୍ଗା ପଡିଛି । ଏକର ଏକର ଚାଷ ଜମି ଜଳମଗ୍ନ ରହିଛି ।
ମଙ୍ଗଳବାର ରାତିରେ ଲୋକେ ଶୋଇଥିବା ବେଳେ ପାଣି ପସି ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ସ୍କୁଲ, ମନ୍ଦିରରେ ପାଣି ପସିଥିବା ବେଳେ ଘରେ ପାଣି ପସି ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓରମୀ, ଡିହଖଳା ଏବଂ ଅନ୍ୟାନ୍ୟ ଗ୍ରାମବାସୀ ବାତ୍ୟାଆଶ୍ରୟସ୍ଥଳୀରେ ଗୋରୁଗାଈ ଧରି ଆଶ୍ରୟ ନେଇଛନ୍ତି । ଘେରିବନ୍ଧ ଲାଗି ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି । ନରଣଗଡ, ଓରବରସିଂହ ଓ ବ୍ରଜମୋହନପୁର ପଞ୍ଚାୟତବାସୀଙ୍କ ଦୁଃଖ ରାଜୁଆ । ପ୍ରତିବର୍ଷ ଏହି ସମସ୍ୟା ଲାଗି ରହୁଛି। ରାଜୁଆ ନଦୀରେ ଘେରିବନ୍ଧ ନିର୍ମାଣ କରାଗଲେ ଏହି ସମସ୍ୟା ସମାଧାନ ହୋଇପାରିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
ଓରବରସିଂହ ପଞ୍ଚାୟତର ହିରିମୂଳ, ଦୃଗାପୁର, ଢିହଖଳା, ଓରବରସିଂହ ଏବଂ ନରଣଗଡ ପଞ୍ଚାୟତର ଓରମୀ, ମାନପୁର ଧଳପୁର, ବଳପୁର, ଦୁର୍ଗାପୁର ପ୍ରଭୃତି ଗ୍ରାମ ଜଳଘେରରେ ରହିଛି । ଲୋକେ ନାହିଁ ନଥିବା ଅସୁବିଧାରେ ରହୁଛନ୍ତି । ଘରେ ପାଣି ପସିଛି । କିଛି ଗ୍ରାମରେ ଲୋକେ ଘର ଛାଡି ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଇଛନ୍ତି। ଗାଈଗୋରୁମାନଙ୍କ ପାଇଁ ଖାଦ୍ୟର ଅଭାବ ଦେଖାଯାଇଛି । ଏକର ଏକର ଚାଷ ଜମି ପାଣିରେ ବୁଡି ରହିଛି । ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ମଙ୍ଗଳବାର ପ୍ରଶାସନ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିଲା।