କଟକ ମୁଣ୍ଡଳୀରେ ପହଞ୍ଚିଲା ମହାନଦୀର ବନ୍ୟାଜଳ

Published By : Prameya-News7 Bureau | August 29, 2018 IST

କଟକ ୩୦।୮ : କଟକ ମୁଣ୍ଡଳୀରେ ପହଞ୍ଚିଲା ମହାନଦୀର ବନ୍ୟାଜଳ ।  ବର୍ତ୍ତମାନ ୯ଲକ୍ଷ ୩୧ ହଜାର କ୍ୟୁସେକ୍ ବନ୍ୟାଜଳ ମୁଣ୍ଡଳୀକୁ ପ୍ରବେଶ କରିଛି । ହୀରାକୁଦ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ଲକ୍ଷ ୫୮ ହଜାର ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୨୫ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ । ଏବେ ଜଳଭଣ୍ଡାରର ଜଳସ୍ତର ୬୨୨.୬୨ ଫୁଟ୍ ରହିଛି । ଛତିଶଗଡରୁ ଆସୁଥିବା ବନ୍ୟାଜଳ ପ୍ରବାହ ବଢ଼ିବାରେ ଲାଗିଛି। ତେଣୁ ଦରକାର ପଡିଲେ ଆହୁରି ଗେଟ୍ ଖେ।ଲିପାରେ। ଏହାକୁ ଆଖି ଆଗରେ ରଖି ପ୍ରଶାସନିକ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କୁ ଜିଲ୍ଲା ହେଡ୍ କ୍ବାର୍ଟରରେ ଉପସ୍ଥିତ ରହିବା ସହ ୨୪ ଘଣ୍ଟା ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଯଦି କୌଣସି ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରେ, ଦରକାର ପଡିଲେ ସେମାନଙ୍କୁ ତୁରନ୍ତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହୀରାକୁଦରୁ ଆସୁଥିବା ବନ୍ୟାଜଳକୁ ଦେଖି ୧୧ଜିଲ୍ଲାକୁ ଆର୍ଲଟ ଜାରି କରାଯାଇଥିବା ବେଳେ ପୁରୀ, ଜଗତସିଂହପୁର, ଯାଜପୁର ଏବଂ କେନ୍ଦ୍ରପଡାରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି।  ଏହି ୪ଟି ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଆଖି ଆଗରେ ରଖି ଗୋଟିଏ ଲେଖାଁଏ ଏନଡିଆରଏଫ ଟିମ୍ ଏବଂ ୨ଟି ଲେଖାଏଁ ଓଡ୍ରାଫ୍ ଟିମ୍ ମୁତୟନ କରଯାଇଛି। ଏହା ସହ ସମସ୍ତ ଆଶ୍ରୟସ୍ଥଳରେ ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ରହିଛି ନଦୀ ବନ୍ଧ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ନଦୀ ନିକଟବର୍ତ୍ତୀ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି । ତେବେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.