ବଢୁଛି ଜଳକା ନଦୀର ଜଳସ୍ତର, ଚାଷ ଜମିରେ ଲହଡ଼ି ମାରୁଛି ବନ୍ୟା ଜଳ

Published By : Prameya-News7 Bureau | August 15, 2022 IST

ଜଳେଶ୍ୱର ୧୫/୦୮: ବଢୁଛି ଜଳକା ନଦୀର ଜଳସ୍ତର । ନଦୀର ମଥାନୀ ଠାରେ ବିପଦ ସଂକେତ ୫,୫୦ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬,୫୫ ମିଟରରେ ପ୍ରବାହିତ ହେଉଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଜଳ ଚାଷ ଜମି ଉପରେ ଲହଡ଼ି ମାରୁଛି । ବନ୍ୟା ଫଳରେ ୧୩ଟି ପଞ୍ଚାୟତ ପ୍ରଭାବିତ ହୋଇଛି ।

୫ ହଜାର ହେକ୍ଟରରୁ ଅଧିକ ଚାଷ ଜମିରେ ମାଡ଼ିଯାଇଛି ବନ୍ୟା ପାଣି । ବସ୍ତା ବ୍ଲକର ଦୁଧହଂସା, ବାହାର୍ଦା, କୁଡିଆ, ବାସିତକୁରାଇ, ସଦାନନ୍ଦପୁର,  ବରୁଣଗଡିଆ, ବ୍ରାହ୍ମୁଣଦା, ରାଉତପଡା, ଗଡପଦା, ଦରବା, ମୁକୁଳିସି ଓ ମଥାନୀ ପଞ୍ଚାୟତର ଏବଂ ସଦର ବ୍ଲକ ରଶଲପୁର, ଶ୍ରୀରାମପୁର ପଞ୍ଚାୟତ ପାଖାପାଖି ପ୍ରଭାବିତ ହୋଇଛି । ନଦୀର ଉପର ମୁଣ୍ଡରେ ଗତ ଦୁଇଦିନ ଧରି ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇବା ଆଶଂକା କରାଯାଉଛି ।

ଆଗକୁ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଚାଷଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ମଧ୍ୟ ସଜାଗ ରହିଛନ୍ତି, ବନ୍ୟାକୁ ଦୃଷ୍ଟିରେ ରଖି ୧୩ ଟି ପଞ୍ଚାୟତ ଲୋକଙ୍କୁ ସତର୍କତା ରହିବାକୁ ଅନୁରୋଧ କରାଯାଇଛି । ତା ସହିତ ୬୧ଟି ସ୍କୁଲ ଖୋଲା ରଖାଯାଇ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି । ଆବଶ୍ୟକ ପଡିଲେ ରନ୍ଧାଖାଦ୍ୟ ଦିଆଯିବାରୁ ବ୍ୟବସ୍ଥା କରାଯାଇଛି । ନଦୀ ବନ୍ଧ ଦୁର୍ବଳ ଥିବାରୁ ୨ହଜାର ବାଲିବସ୍ତା ମହଜୁଦ ରଖାଯାଇଥିବା ସୁଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.