ଲଗାଣ ବର୍ଷା ଯୋଗୁଁ ରାୟଗଡାରେ ଉପୁଜିଛି ବନ୍ୟା ସ୍ଥିତି

Published By : Prameya-News7 Bureau | August 07, 2019 IST

ରାୟଗଡା ୭/୮: ଲଗାଣ ବର୍ଷାରେ ରାୟଗଡା ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି। ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ଓ ରେଳପଥ ଯୋଗାଯୋଗ ପ୍ରଭାବିତ। ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବର୍ଷା ଆହୁରି ୨୪ ଘଣ୍ଟା ଲାଗି ରହିବ ବୋଲି ପାଣିପାଗ  ବିଭାଗର ସୂଚନା ଦେଇଥିବାରୁ ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ଆଶଙ୍କାରେ ଲୋକେ ଘର ଦ୍ୱାର ଛାଡି ନିରାପଦ ସ୍ଥାନରେ ଆଶ୍ରୟ ନେଇଛନ୍ତି । 

{"id":141952}

ମଙ୍ଗଳବାର ଠାରୁ ରାୟଗଡ଼ା ଜିଲ୍ଲାରେ ବର୍ଷା । ଜିଲ୍ଲା ଦେଇ ପ୍ରବାହିତ ନାଗାବଳୀ, ଝାବତୀ, କଲ୍ୟାଣୀ ଓ ବଂଶଧାରା ରେ ବନ୍ୟାପାଣି ବଢୁଛି । ବଂଶଧାରା ନଦୀର ଶାଖା ନାଳରେ ଥିବା ପୋଲ ଉପରେ ପାଣି ସୁଅ ।  ଅମ୍ବାଦଳା ଷ୍ଟେସନ ନିକଟରେ ରେଳଧାରଣା ଧୋଇଯିବା ସହିତ ପୋଲ ଭୁଷୁଡି ପଡିଛି । ଫଳରେ, ସେହି ଧାରଣାରେ ଆସୁଥିବା ଏକ ମାଲବାହୀ ଟ୍ରେନ୍ର ବଗି ଓଲଟି ପଡିବା ଯୋଗୁଁ ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ଏବେ ବନ୍ଦ । ସେହିଭଳି କୋରାପୁଟ-ରାୟଗଡା ରେଳପଥର ଭାଲୁମସ୍କା ଷ୍ଟେସନ ପାଖ ୨୩ ନମ୍ବର ଟନେଲ ଉପର ରେଳ ଧାରଣାରେ ଗଛ ଉପୁଡିପଡିଥିବାରୁ  ଟ୍ରେନ୍ ସେବା ବାଧାପ୍ରାପ୍ତ ହୋଇଛି ।

{"id":141953}

 ବିଷମକଟକ ବ୍ଲକ ଚାଟିକଣା ନାଳରେ ବନ୍ୟାଜଳ ଆସି ରାସ୍ତା ଧୋଇଯାଇଛି ଓ ଏକ ଜଳସେଚନ ପ୍ରକଳ୍ପ ମଧ୍ୟ ଭାସିଯାଇଛି। ନିୟମଗିରିକୁ ଯୋଗାଯୋଗ ବିଛିନ୍ନ  । ପାହାଡ ଉପରେ ଥିବା ପ୍ରାୟ ୨୫ ଖଣ୍ଡ ଗ୍ରାମବାସୀ ଜଳବନ୍ଦୀ । କୁଚେଇପଦର ନାଳ ପୋଲ ଧୋଇଯିବା ଯୋଗୁଁ ଟିକିରି ଓ କାଶୀପୁର ଯୋଗାଯୋଗ ବିଚ୍ଛିନ୍ନ ।  ୫ ଟି ପଂଚାୟତ ବାହ୍ୟ ଜଗତରୁ ଅଲଗା ହୋଇଯାଇଛି । କଲ୍ୟାଣସିଂହପୁର ବ୍ଲକରେ ମଧ୍ୟ ସମାନ ଅବସ୍ଥା । କଲ୍ୟାଣୀ ଓ ନାଗାବଳୀ ନଦୀରେ ଜଳସ୍ତର ବୃଦ୍ଧିରେ ଆତଙ୍କିତ ଲୋକେ ଘର ଛାଡି ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି । ଶୁଳିପଦର, କାରିନିଗୁଡା ଓ ଟେଭାପଡା ଗ୍ରାମରେ ଅନେକ ଘର ଭାଙ୍ଗିଛି। ମୁନିଗୁଡା ବ୍ଲକର ଯୁବାପଦରରେ ବଂଶଧାରା ପାଣି ରାୟଗଡା ଓ କନ୍ଧମାଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ କରିଛି। ନାହିଁ ନଥିବା ହନ୍ତସନ୍ତ ଲୋକେ ।

{"id":141954}

ବନ୍ୟା ସ୍ଥିତି ଉପୁଜିବା ପରେ ଉଦ୍ଧାର ଓ ସହାୟତା ସହ ତ୍ୱରିତ ପଦକ୍ଷେ୍ପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।  ରାୟଗଡାର ସମସ୍ତ ବିଦ୍ୟାଳୟକୁ ବୁଧବାର ମଧ୍ୟାହ୍ନ ପରେ  ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। କଲ୍ୟାଣସିଂହପୁର, ଗୁଣୁପୁର,ମୁନିଗୁଡା,ବିଷମ କଟକରେ ୧୦୪ ପରିବାରକୁ ସ୍ଥାନାନ୍ତର କରାଯାଇଛି।  ସେମାନଙ୍କ ପାଇଁ ମାଗଣା ରନ୍ଧାଖାଦ୍ୟ ବ୍ୟବସ୍ଥା ହୋଇଛି  । ବିଭିନ୍ନ ବ୍ଲକରେ ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ କ୍ୟାମ୍ପ୍ କରି ସ୍ଥିତି ଉପରେ ନଜର ରଖିଛନ୍ତି । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ମଧ୍ୟ ରାୟଗଡାରେ ଅଛନ୍ତି । ଏଣେ ରେଳ ବିଭାଗ ପକ୍ଷରୁ ରେଳଧାରଣା ମରାମତି ଓ ସଫେଇ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  

{"id":141955}

ବର୍ଷ।ର ମାଡରେ ପୁରା ରାୟଗଡ଼ା ଅବସ୍ଥା ପ୍ରଭାବିତ ହୋଇଛି । ପ୍ରଶାସନ ପକ୍ଷରୁ ସ୍ଥିତିର ମୁକାବିଲା ଲାଗି ବ୍ୟାପକ ପଦକ୍ଷେପ ନିଆଯାଇଥିଲେବି ବର୍ଷା କମିବା ପରେ ହିଁ  ଜନଜୀବନ ସ୍ୱାଭାବିକ ହେବ ।

{"id":141956}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.