ମାଲକାନଗିରିରେ ସୁଧୁରୁଛି ବନ୍ୟା ସ୍ଥିତି, ବିଭିନ୍ନ ଅଞ୍ଚଳରୁ କମୁଛି ଜଳସ୍ତର
24/08/2020 at 9:16 AM

ମାଲକାନଗିରି ୨୪।୦୮: ମାଲକାନଗିରି ଜିଲ୍ଲା ମୋଟୁ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ବର୍ଷା କମିବା ଯୋଗୁଁ ମୋଟୁ ମୁଗିପଏଣ୍ଟରେ ପାଣି କିଛିଟା କମିଛି ତଥାପି ମୋଟୁର ଅନେକ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ଜଳ ମଗ୍ନ ହୋଇ ରହିଛି । ସିଲେରୁ ଓ ସାବେରୀ ନଦୀର ବନ୍ୟା ପାଣି ଯୋଗୁଁ ଗତ ୧୦ ଦିନ ଧରି ମୋଟୁ ତହସିଲର ବିନାୟକପୁର, ଆଲମା, ପେଟା, ମୁରଲିଗୁଡା ଓ ଜିଲେନଗୁଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ।

ସେହିପରି ଦୁଇ ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଥିବା ବେଳେ ତିନି ଶହରୁ ଅଧିକ ଲୋକଙ୍କ ଘର ଭାଙ୍ଗି ଯାଇଛି । ୨୫୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ବନ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି। ୩୨୬ ନମ୍ବର ଜାତୀୟ ରାଜ ପଥର ମୋଟୁ ଓ ଚିନ୍ତୁର ମଧ୍ୟରେ ଯୋଗା ଯୋଗ ବିଚ୍ଛିନ୍ନ ରହିଛି । କାଲେରୁ ଗାଁ ନିକଟେ ରାଜ ରାସ୍ତା ଉପରେ ୧୦ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି ।

ଓଡିଶାର ମୁଗିପଏଣ୍ଟ ଠାରୁ ଆରମ୍ଭ କରି ଛତିଶଗଡ ଖୁଣ୍ଟା ଓ ଆନ୍ଧ୍ର ପ୍ରଦେଶର ଚିନ୍ତୁରକୁ ବନ୍ୟା ପାଣିରେ ଏକତ୍ରିତ କରି ଦେଇଛି । ଗୋଦାବରି ନଦୀର ବ୍ୟାକ୍ ୱାଟର ଯୋଗୁଁ ମୋଟୁରେ ଏପରି ବନ୍ୟା ପରିସ୍ତିତି ସୃଷ୍ଟି ହୋଇଥିବା ଜିଲ୍ଲାପାଳ କହିଛନ୍ତି । ତେବେ ଆଗରୁ ଏମିତି ବନ୍ୟା ହେଉନଥିବା ବେଳେ ପୋଲାଭରମ ପ୍ରକଳ୍ପ ଯୋଗୁଁ ଗତ କିଛି ବର୍ଷ ଧରି ମୋଟୁ ଅଞ୍ଚଳରେ ଏପରି ବନ୍ୟା ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।