କେନ୍ଦ୍ରାପଡା ଜିଲ୍ଲାରେ ବିଭିନ୍ନ ନଦୀ ବନ୍ଧରେ ଘଳିଆ, ସ୍ଥାନୀୟ ଲୋକ ଆତଙ୍କିତ
17/08/2022 at 2:22 PM

କେନ୍ଦ୍ରାପଡା ୧୭।୮: ମହାନଦୀ ଓ ତାର ଶାଖା ନଦୀଗୁଡ଼ିକରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି l କେନ୍ଦ୍ରାପଡା ଜିଲ୍ଲାର ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଗ୍ରାମାଞ୍ଚଳରେ ପାଣି ପ୍ରବେଶ କରିଛି l ଡେରାବିଶ, ଗରଦପୁର, ମାର୍ଶାଘାଇ ମହାକାଳପଡ଼ା ବ୍ଲକ୍ ର ତଳିଆ ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି l

ତେବେ ମାର୍ଶାଘାଇ ବ୍ଲକର ଅୟତିପୁର ପଂଚାୟତର ଢି଼ଅ ବଳରାମପୁର ସମ୍ପୂର୍ଣ୍ଣ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ପଡିଛି। ଗାଁ ରାସ୍ତାରେ ୫ ଫୁଟରୁ ଅଧିକ ପାଣି ରହିଛି । ଗାଁରେ ପାଣି ପଶିବା ପରେ ଲୋକେ ଛାତ ଉପର ଓ ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି । ଅୟତିପୁର ପଂଚାୟତର କରାଣ୍ଡିଆ ନଦୀ ଘେରିରେ ତିନୋଟି ଘାଇ ସୃଷ୍ଟି ହେବା ଯୋଗୁଁ ପରିସ୍ଥିତି ଜଟିଳ ହୋଇ ପଡିଛି। ପଖଟ, କଣିବାଙ୍କ, ଜଳପୋକ, ବଟିରା ଗରଦପୁର ବ୍ଲକ୍ର ହୁରା ସାହି, ଶିଶୁଆ, ସଠିଲୋ, ସଲାର ଜଳପୋକ ଗାଁ ପାଣି ଘେରରେ ରହିଛି। ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି l ବିଭିନ୍ନ ସ୍ଥାନରେ ନଦୀ ବନ୍ଧରେ ଘଳିଆ ପଡ଼ିବା ଯୋଗୁଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି l