ଧନୁଆ ନଦୀରେ ବନ୍ୟା ପରିସ୍ଥିତି, ଶହ ଶହ ହେକ୍ଟର ଚାଷ ଜମିରେ ଚାଲୁଛି ଅଣ୍ଟାଏ ଅଣ୍ଟାଏ ବନ୍ୟାଜଳ
16/08/2022 at 10:40 AM

ବାଲିପାଟଣା ୧୬।୮: ରାଜଧାନୀ ଉପକଣ୍ଠର ସମସ୍ତ ନଦୀରେ ବନ୍ୟାଜଳ ପ୍ରଭାବିତ ହେବା ସହ ନଦୀ ଜଳସ୍ତର ବଢିବାରେ ଲାଗିଛି । ବାଲିଅନ୍ତାରେ ପ୍ରବାହିତ କୁଆଖାଇ ନଦୀ, ବାଲିଅନ୍ତା-ବାଲିପାଟଣାରେ ପ୍ରବାହିତ ଭାର୍ଗବୀ, ବାଲିପାଟଣାରେ ପ୍ରବାହିତ କୁଶଭଦ୍ରା ନଦୀ ବେଳକୁ ବେଳ ଫୁଲିବାରେ ଲାଗିଛି ।
ବାଲିପାଟଣା ଅଚ୍ୟୁତପୁର କାଜରେ ଭାର୍ଗବୀ ନଦୀ ଜଳ ନିଷ୍କାସିତ ହେବା ଯୋଗୁଁ ଧନୁଆରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଧନୁଆରେ ବନ୍ୟା ଯୋଗୁଁ ବାଲିପାଟଣାର ୫ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପ୍ରଭାବିତ ହୋଇଛି । ଶହ ଶହ ହେକ୍ଟର ଚାଷ ଜମିରେ ଅଣ୍ଟାଏ ଲେଖାଏଁ ବନ୍ୟାଜଳ ପ୍ରବାହିତ ହେଉଛି । ଗରିଆ, ରାଜସ, କୃଷ୍ଣପୁର, ଟିଙ୍କିପଡା, ଇନ୍ଦୋଳକୁଶିଆରୀ, ଦରଡା, ଦନାପଡ଼ା ଆଦି ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି ।
ଧନୁଆ ନଦୀରେ ବନ୍ୟା ଆସିବା ଯୋଗୁଁ ବାଲିପାଟଣା ବ୍ଲକ୍ର ୫ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି । ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରଚେଷ୍ଟା କରାଯାଉଛି । ଭୁବନେଶ୍ଵର ଉପ-ଜିଲ୍ଲାପାଳ ଦେବବ୍ରତ ସାହୁ, ତହସିଲଦାର ବନ୍ୟା ପ୍ରଭାବିତ ନବାଟି ଗ୍ରାମର ପହଞ୍ଚି ସ୍ଥିତି ପରଖିଛନ୍ତି । ବନ୍ୟାଜଳ ଘେରରେ ଥିବା ଲୋକଙ୍କ ସମସ୍ୟା ବୁଝିବା ସହ ଶୁଖିଲା ଖାଦ୍ୟ, ଗୋ-ଖାଦ୍ୟ, ପିଇବା ପାଣି ଏବଂ ଜରୁରୀ ଔଷଧ ଯୋଗାଇ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି ।