ଆଠଗଡ ଉପଖଣ୍ଡରେ ବନ୍ୟା ସ୍ଥିତି ସଙ୍ଗୀନ, ୫୨ଟି ପଞ୍ଚାୟତର ୨୩୫ଟି ଗାଁ ପ୍ରଭାବିତ

Published By : Prameya-News7 Bureau | August 18, 2022 IST

ଆଠଗଡ ୧୮।୮: ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ହୋଇ ରହିଛନ୍ତି ଲୋକେ । କଟକ ଜିଲ୍ଲା ଆଠଗଡ ଉପଖଣ୍ଡର ମୋଟ୍ ୫୨ଟି ପଞ୍ଚାୟତର ୨୩୫ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ୨୦୧୪ ପରେ ଏହା ହେଉଛି ମହାନଦୀର ସବୁଠାରୁ ବଡ ବନ୍ୟା । ପ୍ରଶାସନିକ ତଥ୍ୟ ଅନୁସାରେ ଆଠଗଡ ଉପଖଣ୍ଡର ଆଠଗଡ, ବଡମ୍ବା, ତିଗିରିଆ, ନରସିଂହପୁର ବ୍ଲକର ୫୨ଟି ପଞ୍ଚାୟତର ୨୩୫ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ଏହାସହ ୫୦୬୬୭ ଜଣ ଲୋକଙ୍କୁ  ବିଭିନ୍ନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଆଠଗଡ ବ୍ଲକ୍‌ର ୧୭ଟି ପଞ୍ଚାୟତର ୫୮ଟି ଗାଁର ୭ ହଜାର ୫ ଶହ ଲୋକ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୮୩୮ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ୮ଟି ସ୍ଥାନରେ ଦୁଇଓଳି ରନ୍ଧାଖାଦ୍ୟ ଦିଆଯାଉଛି ।

ସେହିପରି ତିଗିରିଆ ବ୍ଲକର ୧୦ଟି ପଞ୍ଚାୟତର ୩୦ଟି ଗାଁର ୧୬୦୪୦ ଲୋକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ୧୫୭୫୫ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ୧୭ଟି ସ୍ଥାନରେ ଦୁଇଓଳି ରନ୍ଧାଖାଦ୍ୟ ଦିଆଯାଉଛି । ବଡମ୍ବା ବ୍ଲକର ୨ଟି ପଞ୍ଚାୟତ ବାଙ୍ଗେରିସିଙ୍ଗାରେ ୭୩୪ଜଣ ଏବଂ ଶଙ୍ଖାମାରିରେ ୮୫୩ଜଣଙ୍କୁ ସ୍ଥାନାନ୍ତରିତ କରାଯାଇ ଦୁଇଟି ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଉଛି ।

ସେପଟେ ନରସିଂହପୁରର ୨୩ଟି ପଞ୍ଚାୟତର୧୪୫ଟି ଗାଁ ଏବଂ ୩୫୫୦୦ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୯୧୭୦ଜଣଙ୍କୁ ୨୧ଟି ସେଣ୍ଟରରେ ଦୁଇଓଳି ରନ୍ଧାଖାଦ୍ୟ ଦିଆଯାଉଛି ।

ଆଠଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ବନ୍ୟା ସ୍ଥିତି ଉପରେ ନଜର ରଖାଯାଇଛି । ଆଠଗଡ ଉପଜିଲ୍ଲାପାଳଙ୍କ ସହିତ ୪ଟି ବ୍ଲକର ତହସିଲଦାର ଓ ବିଡିଓମାନେ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । କୌଣସି ଅଘଟଣକୁ ଏଡାଇବା ପାଇଁ ଆଠଗଡ ପୋଲିସ ସହ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍‌କୁ ସଜାଗ ରଖାଯାଇଛି । ଦୁଇଟି ଯାକ ନିର୍ବାଚନମଣ୍ଡଳୀର ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବଡମ୍ବା ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସହିତ ନିର୍ବାଚିତ ଜନ ପ୍ରତିନିଧିମାନେ ବନ୍ୟା ବିପନ୍ନଙ୍କୁ ସାହାଯ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.