ଆସାମରେ ବନ୍ୟା ପରିସ୍ଥିତି ଜଟିଳ, ୨୫ ଜିଲ୍ଲାରେ ୧୧ ଲକ୍ଷ ଲୋକେ ପ୍ରଭାବିତ

Published By : Prameya-News7 Bureau | June 17, 2022 IST

ଗୌହାଟୀ ୧୭।୬: ପୂର୍ବୋତ୍ତର କ୍ଷେତ୍ରରେ ଜାରି ବର୍ଷା ଆସାମ ଓ ମେଘାଳୟରେ ବିତ୍ପାତ ରଚିଛି। ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ଯୋଗୁ ଶହଶହ ଗାଁ ପାଣି ଘେରରେ ଫଶିଛନ୍ତି। ବର୍ଷା ଓ ବନ୍ୟାରେ  ଲୋକଙ୍କ ସ୍ୱଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଜାରି ବର୍ଷା ଯୋଗୁ ସହରାଞ୍ଚଳର ତଳି ଅଞ୍ଚଳ ପାଣିରେ ବୁଡି ଯାଇଛି। ଜାରି ମୁଶଳଧାର ବର୍ଷା ଯୋଗୁ ଆସାମର ୨୫ ଜିଲ୍ଲା ପ୍ରଭାବିତ ହୋଇଛି। ଏଥିରେ ନବଗଠିତ ବାଜାଲୀ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି।

ଅଧିକାରୀଙ୍କ ସୂଚନା ଅନୁସାରେ ମାନସ, ପଗଲାଡିଆ, ପୁଥିମାରୀ, କୋପିଲି, ଗୌରାଙ୍ଗ ଓ ବ୍ରହ୍ମପୁତ୍ର ନଦୀର ଜଳସ୍ତର ଅନେକ ସ୍ଥାନରେ ବିପଦ ସଂକେତ ଉପରେ ବହୁଛି। ବନ୍ୟା ପାଣି ପ୍ରଭାବିତ ଜିଲ୍ଲାଙ୍କ ୧୯୭୮୨.୮୦ ହେକ୍ଟର ଜମିରେ ଫସଲ ଓ ଭୂମିକୁ ଜଳମଗ୍ନ କରି ରଖିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୭୨ ରାଜସ୍ୱ ମଣ୍ଡଳ ଅନ୍ତର୍ଗତ ୧ହଜାର ୫୧୦ଟି ଗ୍ରାମ ଜଳମଗ୍ନ ହୋଇଯାଇଛି। ପ୍ରଭାବିତ ଜିଲ୍ଲାମାନଙ୍କରେ ପ୍ରଶାସନ ଲୋକଙ୍କୁ ସେମାନଙ୍କ ଘରେ ରହିବାକୁ ନିବେଦନ କରିଛନ୍ତି। ସେପରି କୌଣସି ପରିସ୍ଥିତି ନ ପଡିଲେ ଲୋକଙ୍କୁ ବାହାରକୁ ବାହାରିବାକୁ ମନା କରାଯାଇଛି।

{"id":643386,"sizeSlug":"full","linkDestination":"none"}

ରାଜଧାନୀ ଗୌହାଟୀରେ ଶୁକ୍ରବାର ଲଗାତାର ତୃତୀୟ ଦିନ ବର୍ଷା ଜାରି ରହିଛି। ଅଧିକାଂଶ ଅଞ୍ଚଳରେ ପାଣି ଜମି ରହିବା ଯୋଗୁ କେତେକ ସ୍ଥାନରେ ଭୂ-ସ୍ଖଳନ ହୋଇଥିବାର ସୂଚନା ଆସୁଛି। ଏଥିରେ ନୁନମତି ଅଞ୍ଚଳ ଓ ଅଜନ୍ତା ନଗରରେ ଭୂ-ସ୍ଖଳନ ଯୋଗୁ ୩ ଜଣ ଆହତ ହୋଇଥିବାର ଖବର ମିଳିଛି। ବୁଧବାର ବକ୍ସା ଜିଲ୍ଲାର ଦିହିଂଗ ନଦୀର ଜଳସ୍ତର ବଢିବା ଯୋଗୁ ସୁବନ ଖାଟା ଅଞ୍ଚଳରେ ପୋଲର ଏକ ଅଂଶ ଭୂଷୁଡି ପଡିଛି। ବନ୍ୟାପାଣି ରେଳ ଧାରଣା ଉପରେ ପ୍ରବାହିତ ହେବା ଯୋଗୁ ରଙ୍ଗିୟା ଡିଭିଜନର ନଲବାଡି ଘୋଘରାପାରା ମଧ୍ୟରେ ଟ୍ରେନ ଚଳାଚଳ ବାତିଲ  ହୋଇଛି।

ବନ୍ୟା ପ୍ରଭାବିତଙ୍କ ସହାୟତା ଲାଗି ବଲିଉଡ ଅଭିନେତା ଅର୍ଜୁନ କପୁର ଓ ନିର୍ଦ୍ଦେଶକ ରୋହିତ ସେଟ୍ଟି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କାର ସହାୟତା  କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି। ଆସାମ ସୋନିତପୁର ଜିଲ୍ଲାର ଜିୟା ଭରୋଲୀ ନଦୀରେ ଏକ ଯାତ୍ରୀବାହୀ ନୌକା ଓଲଟି ପଡିଥିବାର ଖବର ଆସୁଛି। ଦୁର୍ଘଟଣା କାଳରେ ନୌକାରେ ୪ ଜଣ ଲୋକ ଥିଲେ। ତବେ ଜଣକୁ ଛାଡି ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.