suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାତ୍ୟାପରେ ଏବେ ବନ୍ୟା ଆଶଂକା: ରାଜ୍ୟର ସବୁ ନଦୀରେ ବଢୁଛି ଜଳସ୍ତର, ମାଲକାନଗିରି ସ୍ଥିତି ଅଧିକ ଖରାପ

21/09/2018 at 6:23 PM

ଭୁବନେଶ୍ବର୨୧|୯: ଟଳିଲା ବାତ୍ୟା, ହେଲେ ବଢ଼ିଲା ଦୁର୍ଦ୍ଦଶା । ଘୂର୍ଣ୍ଣିଝଡ଼ ଡାଏ ପ୍ରଭାବରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବନ୍ୟା । ସବୁ ନଦୀର ଜଳସ୍ତର ବଢ଼ୁଛି । ଅଧିକାଂଶ ନଦୀର ଜଳସ୍ତର ବିପଦ ସଙ୍କେତ ଡେଇଁଲାଣି । କେଉଁଠି ରାସ୍ତା ଉପରେ ଅଣ୍ଟେ ପାଣି ତ କେଉଁଠି ଘର ବୁଡ଼ିଗଲାଣି । କିଛି ସ୍ଥାନରେ ଘରଦ୍ବାର ମଧ୍ୟ ଭାଙ୍ଗି ଯାଇଛି । ମାଲାକାନଗିରିର ହାଲ୍ ଦେଖି ହେଉନି ।

କାଲି ରାତିରୁ ଢୁ ଢୁ କୋରୁଛି ଯେ କୋରୁଛି । ଘୂର୍ଣ୍ଣିଝଡ଼ ଡାଏ, ସ୍ଥଳ ଭାଗ ଛୁଇଁବା ପରଠାରୁ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିଛି । ମାଲକାନଗିରିର ଯୁଆଡ଼େ ଚାହିଁବ ଖାଲି ପାଣି ଆଉ ପାଣି । ରାସ୍ତା ଉପରେ ପାଣି ଚାଲୁଛି, ଘରେ ଘରେ ପାଣି ପାଣି ପଶିଛି । ପୁଣି କିଛି ଲୋକଙ୍କ ଘର ମାଟିରେ ମିଶି ଯାଇଛି । କୋରୁକୋଣ୍ଡା, କାଲିମେଳା ଓ ମାଲକାନଗିରି ବ୍ଲକର ଶତାଧିକ ଗାଁ ଜଳମଗ୍ନ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ତମସା ଓ ପୋଟେରୁ ନଈକୂଳରେ ଥିବା ଗାଁ ଲୋକେ । ରାତି ଅଧରେ ହଠାତ୍ ମୂଷଳ ଧାରାରେ ବର୍ଷା ହେଲା । ଫଳରେ ଲୋକଙ୍କୁ କିଛି ବୁଦ୍ଧିବାଟ ଦିଶିଲାନି । ଅଧିକାଂଶ ଲୋକଙ୍କ ଗୋରୁଗାଈ, ଛେଳି ମେଣ୍ଢା ଭାସି ଯାଇଛନ୍ତି ।

ରାସ୍ତାଘାଟ ସବୁଠି ଚାଲୁଛି ପାଣି । ପୋଲ ଉପରେ ସୁ ସୁ ହୋଇ ଚାଲିଛି ବନ୍ୟାଜଳ । ବାଲିମେଳା ଜଳଭଣ୍ଡାରର ବିପଦ ସଙ୍କେତ ୧୫୧୬ ଫୁଟ ଥିବା ବେଳେ ତାହା ଟପି ସାରିଲାଣି । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଗୁରୁପ୍ରିୟା ସେତୁ ପ୍ରତି ବିପଦ ଥିବାରୁ ଜଳଭଣ୍ଡାରର ୪ଟି ଗେଟ୍ ଖୋଲାଯାଇଛି । କାଲିମେଳା ଓ ପଡ଼ିଆ ଅଞ୍ଚଳରେ ପାଣି ଘେରରେ ଫସିଥିବା ଲୋକଙ୍କୁ ପୋଲିସ୍ ଏବଂ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛନ୍ତି । ତଳିଆ ଅଞ୍ଚଳ ଦୋରାଗୁଡ଼ା, ଗୁଣ୍ଡାବେଡ଼ା ଓ ଚିତ୍ରକୋଣ୍ଡା ପଞ୍ଚାୟତର ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

 ବନ୍ୟାରେ ମାଲକାନଗିରି ସ୍ଥିତି ସଙ୍ଗୀନ ହୋଇ ପଡ଼ିଥିବା ବେଳେ ରାଜ୍ୟ ସରକାର ୭ ଦିନ ପାଇଁ ରିଲିଫ୍ ଘୋଷଣା କରିଛନ୍ତି । ରିଲିଫ୍ ସାମଗ୍ରୀ ସହ ବୟସ୍କଙ୍କ ପାଇଁ ଦିନକୁ ୬୦ ଓ ୧୨ ବର୍ଷରୁ କମ୍ ପିଲାଙ୍କ ପାଇଁ ଦିନକୁ ୪୫ ଟଙ୍କା ଲେଖାଏଁ ସହାୟତା ଦିଆଯିବ । ପରିସ୍ଥିତି ପାଇଁ ଆନ୍ଧ୍ରର ପୋଲାଭରମ୍ ପ୍ରକଳ୍ପକୁ ଦାୟୀ କରିଛନ୍ତି ସ୍ଥାନୀୟ ବିଧାୟକ ।

ବାଲେଶ୍ବରରେ ବି ବର୍ଷାର ତାଣ୍ଡବ । ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ବହୁଥିବା ବେଳେ ଡେଞ୍ଜର ଲେବୁଲ୍ ପାଖାପାଖି ବୁଢ଼ାବଳଙ୍ଗର ସ୍ଥିତି । ସୁବର୍ଣ୍ଣରେଖାର ଜଳସ୍ତର ମଧ୍ୟ ବଢ଼ିଛି । ବାଲେଶ୍ବର ସହର ନିକଟବର୍ତ୍ତୀ ନୂଆପୁର, କେଶପୁର, କଶମିଳା ଏବଂ ଏକତାପୁର ଗାଁ ପାଣି ଘେରରେ ।

କୋରାପୁଟରେ ଲଗାଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜିଲ୍ଲାରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । କୋଲାବ୍ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ପାଖାପାଖି ହେଲାଣି ।

ଲଗାଣ ବର୍ଷାରେ ଚିଲିକା ଅଶାନ୍ତ । ଢେଉ ମାଡ଼ରେ ସୁରକ୍ଷା ପ୍ରାଚୀରର କିଛି ସ୍ଥାନ ଭାଙ୍ଗି ଗଲାଣି । କିଛି ଗାଁ ଗଣ୍ଡାରେ ମଧ୍ୟ ପାଣି ପଶିଲାଣି । ଲୋକେ ପୂରା ଭୟଭୀତ । ଅରଖକୁଦା, ସାନ ପାଟଣା, ଗବକୁଣ୍ଡ, ମିର୍ଜାପୁର, ସିପକୁଦା, ଗଙ୍ଗାଧରପୁର ଆଦି ଗାଁ ବର୍ଷା ଓ ଝଡ଼ ପବନରେ ପ୍ରଭାବିତ ହୋଇଛି । ସେପଟେ ମୟୂରଭଞ୍ଜ ଉଦଳା ବ୍ଲକର ଅଧିକାଂଶ ଗାଁରେ ବନ୍ୟା ଜଳ ପଶିଛି । କାଳ, କଣ୍ଠାଳ ଓ ଗଙ୍ଗାଦ୍ବାର ନଦୀର ଜଳସ୍ତର ବଢିବାରେ ଲାଗିଛି । ଶିମିଳିପାଳ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ କାଳ ଏବଂ ସୋନ ଡ୍ୟାମର ଗୋଟିଏ ଲେଖାଏଁ ଗେଟେ ଖୋଲାଯାଇଛି ।

 ଘୂର୍ଣ୍ଣିଝଡ଼ ଡାଏ ଏବେ ଛତିଶଗଡ଼ ମୁହାଁ । କିନ୍ତୁ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି । ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି କିଛି ସ୍ଥାନରେ ସ୍ବଳ୍ପ ବର୍ଷା ହେବା ସହ ପାଗ ମେଘୁଆ ରହିବ ।

ଗତ ୨୪ ଘଣ୍ଟା ଭିତରେ ମାଲକାନଗିରିରେ ସର୍ବ।ଧିକ ବର୍ଷା ରେକର୍ଡ଼ କରାଯାଇଛି । ରାଜ୍ୟର ୩୦ ଟି ବ୍ଲକରେ ଶହେରୁ ଅଧିକ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି ।

   Related Posts