ଆସାମରେ କମୁଛି ବିପଦ କିନ୍ତୁ ବଢୁଛି ଦୁର୍ଦ୍ଦଶା : ବନ୍ୟାରେ ଗଲାଣି ୧୦୮ ଜୀବନ

Published By : Prameya-News7 Bureau | June 24, 2022 IST

ନୂଆଦିଲ୍ଲୀ, ୨୪/୦୬:  ଆସାମରେ ଭୟଙ୍କର ରୂପ ଧାରଣ କରିଛି ବନ୍ୟା । ଏବେସୁଦ୍ଧା ରାଜ୍ୟରେ ପ୍ରାୟ ୧୦୮ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆକାଶମାର୍ଗରୁ ବନ୍ୟାପ୍ଲାବିତ ଅଞ୍ଚଳ ବୁଲି ଦେଖିଛନ୍ତି ।

ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ରିପୋର୍ଟ ଅନୁସାରେ, ରାଜ୍ୟରେ ବନ୍ୟା ପ୍ରଭାବିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ବନ୍ୟା ପାଇଁ ୩୦ ଜିଲ୍ଲାରେ ୪୫.୩୪ ଲୋକ ପ୍ରଭାବିତ ହୋଇଛନ୍ତି । ବୁଧବାର ଏହି ସଂଖ୍ୟା ୫୪.୫ ଲକ୍ଷ ଥିଲା ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କେନ୍ଦ୍ର ସରକାର ଆସାମ ସ୍ଥିତି ଉପରେ ଲଗାତର ନଜର ରଖିଛନ୍ତି । ସମସ୍ତ ପ୍ରାକର ଚ୍ୟାଲେଞ୍ଜର ମୁକାବିଲା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ସେନା ଓ ଏନଡିଆରଏଫ୍ ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ନିୟୋଜିତ ଅଛନ୍ତି । ବାୟୁସେନା ମଧ୍ୟ ଉଦ୍ଧାରକାର୍ଯ୍ୟରେ ଲାଗିଛି ।  

ବନ୍ୟା ପାଇଁ ଗୋଟିଏ ସପ୍ତାହ ପୂର୍ବରୁ ଗ୍ରୀଷ୍ମଛୁଟି

ଆସାମରେ ପ୍ରବାହିତ ହେଉଥିବା ବାରାକ୍ ଓ କୁଶିୟାରା ନଦୀ ବିପଦ ସଙ୍କେତ ଉପରେ ରହିଛି । ଏହି ଦୁଇ ନଦୀ କାରଣରୁ ପ୍ରାୟ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବାରପେଟାରେ ସର୍ବାଧିକ ୧୦ ଲକ୍ଷ ୩୨ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ କାମରୂପରେ ୪,୨୯,୧୬୬, ଧୁବରୀରେ ୩୯୯୯୪୫ ଜଣ ପ୍ରଭାବିତ ହୋଇଛନ୍ତି ।

ଏହାମଧ୍ୟରେ ରାଜ୍ୟ ସରକାର ଏକ ସପ୍ତାହ ପୂର୍ବରୁ ଖରାଛୁଟି ଘୋଷଣା କରିଛନ୍ତି । ପୂର୍ବରୁ ଛୁଟି ଜୁଲାଇ ୧ରୁ ଜୁଲାଇ ୩୧ ଯାଏଁ ଥିବା ବେଳେ ଏବେ ଜୁନ ୨୫ରୁ ଜୁଲାଇ ୨୫ ଯାଏଁ ପରବିର୍ତ୍ତନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.