ଲଗାଣ ବର୍ଷାରେ ବେହାଲ୍ ମାଲକାନାଗିରି;  ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି, ଗାଁରେ ଲହଡ଼ି ମାରୁଛି ପାଣି

Published By : Prameya-News7 Bureau | July 15, 2022 IST

ମାଲକାନଗିରି 15/07: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ।  ସିଲେରୁ ଓ ସାବେରୀ ନଦୀରେ ଜଳ ସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମୋଟୁ ଓ ଆନ୍ଧ୍ର ସିମାନ୍ତରେ ଥିବା କାଲେରୁ ଗାଁ ନିକଟ 326 ନମ୍ବର ଜାତୀୟ ରାଜପଥ ଉପରେ ଗତ 6 ଦିନ ଧରି 8 ଫୁଟ ଉଚ୍ଚରେ ପ୍ରବାହିତ ହେଉଛି ବନ୍ୟା ଜଳ । ଫଳରେ ମାଲକାନଗିରି ଜିଲ୍ଲାର ମୋଟୁ ସହ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ମୋଟୁ ସିମାନ୍ତରେ ଶହ ଶହ ଯାନ ବାହାନ ଅଟକି ରହିଛି।

ଗୋଦାବରୀ ନଦୀରେ ତୃତୀୟ ବିପଦ ସଂକେତ 53 ଫୁଟ ରହିଥିବା ବେଳେ ବତ୍ତର୍ମାନ ସେଠାରେ ଜଳ ସ୍ତର 65 ଫୁଟ ରହିଛି । ଫଳରେ ମାଲକାନଗିରି ଜିଲ୍ଲାର ମୋଟୁରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବାରିବାଞ୍ଛା, ବିନାୟକପୁର, ଆଲମା ଓ ମୁରଲିଗୁଡା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ମୁଗି ପଏଣ୍ଟ ଓ ପୁରୁଣା ମୋଟୁରେ ଅନେକ ଲୋକଙ୍କ ଘର ବନ୍ୟା ପାଣିରେ ବୁଡି ଯାଇଛି ।  ସାବେରୀ ନଈ କୂଳରେ ଥିବା ପଡିଆ ବ୍ଳକର 3 ଟି ଗାଁ ବଜାଗୁଡା,ଏମଭି57 ଓ ଗିରକାନପାଲି ଗ୍ରାମର 84 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମୋଟୁ ଅଞ୍ଚଳର ଅନେକ ଲୋକେ ନିଜ ନିଜର ଘର ଦ୍ବାର ଛାଡି ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି । ଅନ୍ୟପଟେ ପରିସ୍ଥିତି ଉପରେ ନଜର ରଖିବା ଲାଗି ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.