ଅଧରାତିରେ ଭାଙ୍ଗିଲା କେନାଲ ବନ୍ଧ, ଉତ୍ତର ଦିଲ୍ଲୀରେ ବନ୍ୟା ସ୍ଥିତି

Published By : Prameya-News7 Bureau | July 11, 2024 IST

ନୂଆଦିଲ୍ଲୀ: କେନାଲ ଭାଙ୍ଗି ସହରରେ ପଶିଲା ବନ୍ୟା ଜଳ। ଚାହୁଁ ଚାହୁଁ ଚାରିଆଡ଼ ହୋଇଗଲା ଜଳମଗ୍ନ। ନିଦରୁ ଉଠିବା ବେଳକୁ ବନ୍ୟା ସ୍ଥିତି ଦେଖି ଲୋକେ ଭୟଭୀତ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀ ଉପକଣ୍ଠ ବଭାନା ଅଞ୍ଚଳରେ। ଏଠାରେ ଥିବା ମୁନକ କେନାଲର ବନ୍ଧ ଭାଙ୍ଗିବାରୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । 

ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୨ଟା ସମୟରେ ଉତ୍ତର ଦିଲ୍ଲୀର ମୁନକ କେନାଲ ବନ୍ଧ ଭାଙ୍ଗିଯାଇଥିଲା। ବନ୍ଧ ଭାଙ୍ଗିବା କାରଣରୁ ବଭାନାର ଜେ.ଜେ କଲୋନୀ ଜଳମଗ୍ନ ହୋଇଯାଇଥିଲା।ଆଉ ପ୍ରଶାସନ କୌଣସି ପଦକ୍ଷେପ ନେବା ଆଗରୁ ହିଁ ପାଣି ସଂପୂର୍ଣ୍ଣ ଅଞ୍ଚଳରେ ମାଡ଼ି ଯାଇଥିଲା। ଆଉ ଏଭଳି ଅତର୍କିତ ଜଳ ମାଡ଼ି ଆସିବା କାରଣରୁ ଲୋକେ ଜୀବନ ବିକଳରେ ଘରୁ ବାହାରି ପଳାଇଆସିଥିଲେ।

ଅବଶ୍ୟ ଏବେ ଆବଶ୍ୟକୀୟ ପଦକ୍ଷେପ ନେବା ସହ କେନାଲ ପାଣିକୁ ହରିୟାଣାରୁ ବନ୍ଦ କରାଯାଇଛି ଏବଂ ବଭାନାରେ ଯେଉଁଠାରେ ବନ୍ଧ ଭାଙ୍ଗିଛି ସେଠାରେ ମରାମତି କାମ ଜାରି ରହିଛି। 

ତେବେ ଏହି ବନ୍ୟା କାରଣରୁ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ସ୍ଥିତି କାରଣରୁ ଦିଲ୍ଲୀବାସୀଙ୍କୁ ମଧ୍ୟ ଅସୁବିଧାର ସାମ୍‌ନା କରିବାକୁ ପଡ଼ିପାରେ। କାରଣ ମୁନକ କେନାଲର ପାଣି ହାଇଦରପୁର ଜଳ ବିଶୋଧନଗାରକୁ ଯୋଗାଣ ହୋଇଥାଏ। ତେଣୁ ପାନୀୟ ଜଳର ସମସ୍ୟା ଉପୁଜିପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.