ଫୁଲୁଛି ମହାନଦୀ , ତଳିଆ ଅଞ୍ଚଳରେ ଭୟ : ଲଗାଣ ବର୍ଷା ପରେ ବିଭିନ୍ନ ଅଞ୍ଚଳ ଜଳବନ୍ଦୀ

Published By : Prameya-News7 Bureau | August 28, 2020 IST

ଭୁବନେଶ୍ୱର୨୮/୮: କରୋନା କାଳରେ ଲଗାଣ ବର୍ଷା ଆଣିଛି ବନ୍ୟା ବିପତ୍ତି । ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା ନଦୀ ବିପଦ ସଙ୍କେତ ଉପରେ । ଯାଜପୁର, ଭଦ୍ରକ, କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ଅନେକ ଅଞ୍ଚଳକୁ ମାଡ଼ିଯାଇଛି ବନ୍ୟା । ବ୍ୟାପକ ଅଞ୍ଚଳ ପାଣି ଘେରରେ । ଏପଟେ ଡରାଇଲାଣି ମହାନଦୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଯେଉଁ ଭଳି ମହାନଦୀ ଫୁଲୁଛି, ତଳମୁଣ୍ଡରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖା ଦେଲାଣି । ଗୁରୁବାର ରାତି ୯ଟାବେଳେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୨.୫୮ ଫୁଟ୍‌ ଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୫,୫୬,୩୯୩ ଘନ ଫୁଟ ପାଣି ପଶୁଛି । ୨୦ଟି ଗେଟ୍‌ ଖୋଲାଯାଇଛି । ଏଥିରେ ପ୍ରତି ସେକେଣ୍ଡରେ ପ୍ରାୟ ୩ ଲକ୍ଷ ଘନଫୁଟ୍‌ରୁ ଅଧିକ ପାଣି ଛଡ଼ାଯାଉଛି ।

ଇବ୍‌ ଓ ଭେଡେନ୍‌ ନଦୀରୁ ପ୍ରବଳ ମାତ୍ରାରେ ପାଣି ହୀରାକୁଦ ଜଳଭଣ୍ଡାରକୁ ଆସୁଛି। ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁ ମହାନଦୀ ଫୁଲୁଛି । ଆକଳନ କରାଯାଉଛି, ବର୍ତ୍ତମାନ ଯେତିକି ପାଣି ଆସୁଛି, ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ପ୍ରାୟ ଏହି ପରିମାଣରେ ଜଳ ଆସିବ । ଏଭଳି ସ୍ଥିତି ରହିଲେ ଜଳଭଣ୍ଡାର ଜଳସ୍ତର ୬୨୫ ଫୁଟ ଟପିଯିବା ଆଶଙ୍କା ରହିଛି। ଏମିତି ସ୍ଥିତି ଆସିଲେ କର୍ତ୍ତୃପକ୍ଷ ଅଧିକ ଗେଟ୍‌ ଖୋଲିବାକୁ ବାଧ୍ୟ ହେବେ। ଜଳଭଣ୍ଡାରକୁ ଯେତିକି ପାଣି ଆସିବ, ସେଇ ପରିମାଣରେ ପାଣି ଛାଡ଼ିବାକୁ ପଡ଼ିବ । ଗୋଟିଏ ଗେଟ୍‌ ଖୋଲିଲେ ଡ୍ୟାମରୁ ୧୬ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହୋଇପାରିବ। ଏହି ହିସାବରେ ୫ଲକ୍ଷ ଘନ ଫୁଟ ଜଳ ଛାଡ଼ିବାକୁ ଅନ୍ୟୁନ ୩୨ଟି ଗେଟ୍‌ ଖୋଲିବାକୁ ପଡ଼ିପାରେ। ଏଭଳି ସ୍ଥିତି ଉପୁଜିଲେ ମହାନଦୀର ତଳମୁଣ୍ଡରେ ନିଶ୍ଚିତ ଭାବେ ବନ୍ୟା ଆସିପାରେ ।

ଗୁରୁବାର ରାତି ୯ଟାବେଳେ ବରମୁଳରେ ସେକେଣ୍ଡ ପିଛା ୬ ଲକ୍ଷ ୨ ହଜାର ଘନଫୁଟ, ଖଇରାମାଳରେ ୫ ଲକ୍ଷ ୬୨ ହଜାର ଘନଫୁଟ ଓ ମୁଣ୍ଡୁଳି ବ୍ୟାରେଜରେ ସେକେଣ୍ଡ ପିଛା ୭,୯୧,୧୮୫ ଘନଫୁଟ ଜଳ ପ୍ରବାହିତ ହେଉଥିଲା । ରାତି ୧୨ଟାରେ ଏହା ୮ ଲକ୍ଷ ଘନଫୁଟ ଛୁଇଁଛି । ମହାନଦୀ ନରାଜରେ ଫୁଲୁଛି । ବିପଦ ସଙ୍କେତ ୨୬.୪୧ ମିଟର ଥିବାବେଳେ ରାତି ୯ଟାବେଳେ ଜଳସ୍ତର ୨୬.୩୦ ମିଟର ଛୁଇଁଥିଲା ।

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ମହାନଦୀ ଅବବାହିକାରେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଓ ନୟାଗଡ଼ ଜିଲ୍ଲାର ତଳି ଇଲାକାକୁ ସତର୍କ ରହିବାକୁ କୁହାଯାଇଛି। ଦୟା ଓ ରଣ ନଦୀ ବଢ଼ିବା ଆଶଙ୍କା ଥିବାରୁ ଖୋର୍ଦ୍ଧାରେ ତଳି ଅଞ୍ଚଳକୁ ସତର୍କ ରହିବାକୁ ହେବ ।

ଲଗାଣ ବର୍ଷାଜନିତ ବନ୍ୟା ଯୋଗୁ ୫ଟି ଜିଲ୍ଲାରେ ଦୁର୍ଦ୍ଦଶା ବଢ଼ିଯାଇଛି। ବୈତରଣୀ ବନ୍ୟା ଯୋଗୁ ଯାଜପୁର ଜିଲ୍ଲାର ୫୩ଟି ପଞ୍ଚାୟତର ୩୦୬ଟି ଗାଁ ପାଣି ଘେରରେ ରହିଛି । ପ୍ରାୟ ୨ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଯାଜପୁର ବ୍ଲକରେ ବୁଢ଼ା ନଈ ବନ୍ଧର ୩ଟି ଜାଗାରେ ଘାଇ ହୋଇଛି । ବୈତରଣୀ ନଦୀ ଦଶରଥପୁର ବ୍ଲକର ଗୋଟିଏ ଜାଗାରେ ଘାଇ କରିଛି । କାଣୀ ନଦୀ ମଧ୍ୟ ଦଶରଥପୁର ବ୍ଲକର ୨ଟି ସ୍ଥାନରେ ଘାଇ କରିଛି ।

ଭଦ୍ରକରେ ଭଣ୍ଡାରିପୋଖରୀର ୯ଟି ପଞ୍ଚାୟତ ଜଳବନ୍ଦୀ ଅଛି। ଧାମନଗରରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ୨ଜଣ ବନ୍ୟା ଜଳରେ ଭାସିଯାଇଛନ୍ତି। ଆଖଣ୍ଡଳମଣୀ-ଯାଜପୁର ରାସ୍ତା ବିଚ୍ଛିନ୍ନ ହୋଇଯାଇଛି। ଧାମନଗର ସୀମାନ୍ତ ବୋଡ଼କ ନଦୀ ବନ୍ଧରେ ୫୦ ଫୁଟ୍‌ ଘାଇ ସୃଷ୍ଟି ହୋଇଛି। ତିହିଡ଼ି ବ୍ଲକର ୭ଟି ପଞ୍ଚାୟତର ୨୫ ହଜାର ଲୋକେ ପାଣି ଘେରରେ ଅଛନ୍ତି । ଚାନ୍ଦବାଲିର ୪ଟି ପଞ୍ଚାୟତର ୩୦ଟି ଗାଁ ଜଳବନ୍ଦୀ ରହିଛି ।

କେନ୍ଦୁଝର ଘସିପୁରା ବ୍ଲକର ୩୦ଟି ଗାଁ, ଆନନ୍ଦପୁରର ୨ଟି ପଞ୍ଚାୟତ ଓ ହାଟଡିହିର ୮ଟି ପଞ୍ଚାୟତ ପାଣି ଘେରରେ ରହିଛି । ହାଟଡିହିରେ ଜଣେ ପାଣିରେ ଭାସି ଯାଇଛନ୍ତି । ୪୯ ନଂ ଏନଏଚ୍‌ରେ ଶହଶହ ଗାଡ଼ି ଅଟକି ରହିଛି।
ବାଲେଶ୍ୱରରେ ଜଳକା ବିପଦ ସଙ୍କେତ ଉପରେ ଥିବାବେଳେ ବୁଢ଼ାବଳଙ୍ଗ ବି ବିପଦ ସଙ୍କେତ ଉପରେ ଅଛି। ଏଥିରେ ବସ୍ତାର ବ୍ୟାପକ ଅଞ୍ଚଳ ଜଳମଗ୍ନ ରହିଛି । ମୟୂରଭଞ୍ଜରେ ବଡ଼ସାହି, ରାସଗୋବିନ୍ଦପୁର, ଖୁଣ୍ଟା ଓ ଗୋପବନ୍ଧୁନଗରର ଅନେକ ଅଞ୍ଚଳ ପାଣି ଘେରରେ ଅଛି । ପୂର୍ବାପେକ୍ଷା ପାଣି କମୁଛି ।

କେନ୍ଦ୍ରାପଡ଼ାର ଆଳି, ରାଜକନିକା ଓ ପଟ୍ଟାମୁଣ୍ଡାଇର କେତେକ ଗାଁ ପାଣି ଘେରରେ ଅଛି । ଆଳି ବ୍ଲକର ଏକମାଣିଆ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବ୍ରାହ୍ମଣୀ ନଦୀ ପଟ୍ଟାମୁଣ୍ଡାଇର ଅଳଭାରେ ବିପଦ ସଙ୍କେତ ଟପିଛି । ମହାନଦୀ ଫୁଲୁଥିବାରୁ କେନ୍ଦ୍ରାପଡ଼ାରେ ବନ୍ୟା ବିପଦ ବଢ଼ିଛି।

ମହାନଦୀ ଫୁଲୁଥିବାରୁ କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ ପାଣି ବଢ଼ିଛି। ହୁଳୁହୁଳା ନାଳରେ ପାଣି ଉଛୁଳିବା ଯୋଗୁ ୫ଟି ପଞ୍ଚାୟତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କୈମୁଣ୍ଡି ଗାଁକୁ ରାସ୍ତା ଏବେ ନାହିଁ । ବଡ଼ମ୍ବା ନରସିଂହପୁରରେ ପାଣି ବଢ଼ିଛି । ପ୍ରସିଦ୍ଧା ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପାଣି ପଶିଛି । ତିଗିରିଆ-ଚଷାଆରା ରାସ୍ତାରେ ପାଣି ଚାଲିଛି । ମହାନଦୀ ବଢ଼ିଲେ ସ୍ଥିତି ଆହୁରି ବିଗିଡ଼ିପାରେ।

ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି, ଝାଡ଼ଖଣ୍ଡର କାଲୁଡିର ବ୍ୟାରେଜରେ ପାଣି ଆସୁଥିବାରୁ ସୁବର୍ଣ୍ଣରେଖା ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଆଜି ସୁଦ୍ଧା ସୁବର୍ଣ୍ଣରେଖା ରାଜଘାଟରେ ବିପଦ ସଙ୍କେତ ଟପିପାରେ। ଏଥିଯୋଗୁ ବାଲେଶ୍ୱରର ୪ଟି ବ୍ଲକ ଓ ମୟୂରଭଞ୍ଜର ଗୋଟିଏ ବ୍ଲକରେ ବନ୍ୟା ଆସିପାରେ। ବ୍ରାହ୍ମଣୀ ବି ଫୁଲୁଛି । ରେଙ୍ଗାଳି ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ହୋଇଛି । ରେଙ୍ଗାଳି ୩ଟି ଗେଟ୍‌ ଖୋଲିଛି । ବ୍ରାହ୍ମଣୀ ଓ ଖରସ୍ରୋତାରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିପାରେ ।

ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି, ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଗତ ୩ ଦିନ ଭିତରେ ୭ଜଣଙ୍କ ଜୀବନ ଯାଇଛି। ୨ଜଣ ନିଖୋଜ ଅଛନ୍ତି । ପ୍ରାୟ ୩ ହଜାର କଚ୍ଚାଘର ଆଂଶିକ କ୍ଷତିଗ୍ରସ୍ତ ହେଳାଇଛି। ସୁନ୍ଦରଗଡ଼ରେ ୭ଟି ରାସ୍ତା ବିଚ୍ଛିନ୍ନ ହୋଇଛି। ଝାରସୁଗୁଡ଼ା-ବିଳାସପୁର ରେଳପଥ ପୋଲରେ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି । ବାଲେଶ୍ୱରର ୪/୫ଟି ରାସ୍ତାରେ ପାଣି ଚାଲିଛି । ମୟୂରଭଞ୍ଜରେ ୨ଟି ରାସ୍ତା ଧୋଇଯାଇଛି । ବ୍ୟାପକ ଚାଷ ଜମି ପାଣି ଘେରରେ ରହିଛି । ବନ୍ୟା ଯୋଗୁ ୭ହଜାର ଲୋକଙ୍କୁ ଏଯାବତ୍‌ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପାଣି କମିବା ପରେ ତୁରନ୍ତ କ୍ଷତିଗ୍ରସ୍ତ ଘର ଓ ଚାଷ ଜମିର ଆକଳନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଛି।

ଗୁରୁବାର ରାତି୯ଟାବେଳେ ବୈତରଣୀ ଆନନ୍ଦପୁରରେ ବିପଦ ସଙ୍କେତଠାରୁ ପ୍ରାୟ ୧ ମିଟର ଉପରେ (୩୯.୪୩ ମିଟର) ପ୍ରବାହିତ ହେଉଥିଲା । ଜଳସ୍ତର ଧୀରେ ଧୀରେ ଖସୁଛି । ଆଖୁଆପଦାରେ ଜଳସ୍ତର ୧୮.୫୨ ମିଟର ଥିଲା । ସେଠାରେ ବି ପାଣି କମୁଛି । ବୁଢ଼ାବଳଙ୍ଗ ଏନଏଚ-୫ ନିକଟରେ ବିପଦ ସଙ୍କେତ (୮.୧୩ମି) ଟପି ୮.୪୦ ମିଟରରେ ପ୍ରବାହିତ ହେଉଥିଲା।

ଗତ କିଛି ଘଣ୍ଟା ଧରି ଜଳସ୍ତର ସ୍ଥିର ରହିଛି । ସୁବର୍ଣ୍ଣରେଖା ଜାମଶୋଳାଘାଟରେ ବିପଦ ସଙ୍କେତ ଉପରେ (୫୦.୫୨ ମିଟର) ରହିଛି । ଜଳସ୍ତର କମୁଛି । ରାଜଘାଟରେ ଜଳସ୍ତର ବଢ଼ି ୯.୮୪ ମି ମିଟରରେ ପହଞ୍ଚିଛି । ଜକଳା ଜଳସ୍ତର ଖସୁଥିଲେ ବି ବିପଦ ସଙ୍କେତ ଉପରେ ରହିଛି। ରାତି ୯ଟାବେଳେ ଜଳସ୍ତର ମଥାନିରେ ୬.୮୩ ମିଟର ଥିଲା । ବ୍ରାହ୍ମଣୀ ଜଳସ୍ତର ଜେନାପୁରରେ ବଢ଼ିବାରେ ଲାଗିଛି । ଜଳସ୍ତର ୨୨.୮୧ ମିଟରରେ ପହଞ୍ଚିଛି । ସେଠାରେ ବିପଦ ସଙ୍କେତ ୨୩ ମିଟର। ପାନପୋଷରେ ଜଳସ୍ତର କମୁଛି।

ପାଣିପାଗ ବିଭାଗ କହିଛି, ଲଘୁଚାପ ଓଡ଼ିଶାରୁ ହଟି ଛାଡ଼ଖଣ୍ଡ ପଳାଇଛି । ରାଜ୍ୟରେ ଏବେ ବିଶେଷ ବର୍ଷା ନାହିଁ । ଶୁକ୍ରବାର ଅଳ୍ପ କେତେକ ଜାଗାରେ ସାମାନ୍ୟ ବର୍ଷା ହୋଇପାରେ । କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶାରେ ଏବେ ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ। ଛତିଶଗଡ଼ରେ ଆଜି ସକାଳ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି। ଏହା ପରେ ବର୍ଷା କମିବ।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୪ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି। ତେଲକେଇରେ ୨୧୫ ମିମି, ଆଠମଲ୍ଲିକରେ ୨୦୦.୮, ଲଇକେରାରେ ୨୧୪, କିମିରାରେ ୨୦୭ ମିମି ବର୍ଷା ହୋଇଛି । ୪୧ଟି ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.