କାଙ୍ଗରେ ପ୍ରକୃତିର ତାଣ୍ଡବ; ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁ ୧୨୦ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | December 14, 2022 IST

ନୂଆଦିଲ୍ଲୀ: ଆଫ୍ରିକା ମହାଦେଶ କାଙ୍ଗରେ ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷାରେ ବେହାଲ ହୋଇଛି ରାଜଧାନୀ କିଂଶାସ । ବର୍ଷା ଓ ଭୂସ୍ଖଳନ ଯୋଗୁ ୧୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଉଛି। ସହରରେ ମାଟି ମିଶା ବର୍ଷା ଜଳ ଭର୍ତ୍ତି ହୋଇଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । N-୧ ହାଇଓ୍ବେକୁ ୩ରୁ ୪ଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।

ସହରରେ ଡ୍ରେନେଜ୍ ସିଷ୍ଟମ ଠିକ୍ ହୋଇନଥିବାରୁ ବର୍ଷା ଜଳ ସହରର ବିଭିନ୍ନ ସ୍ଥାନରେ ଜମି ରହିଛି । ଅନ୍ୟପଟେ ପ୍ରକୃତିର ତାଣ୍ଡବ ଯୋଗୁ ଫୁଲୁଛି କାଙ୍ଗ ନଦୀ । ପ୍ରବଳ ବର୍ଷାରେ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ନଦୀ ବିପଦ ସଂକେତ ପାର୍ କରିଛି । ଭୟଙ୍କର ବନ୍ୟାରେ ପୂରା ସହର ପ୍ରଭାବିତ ହୋଇଛି । ଭୂସ୍ଖଳନ ଯୋଗୁ ଜାତୀୟ ରାଜପଥ-୧ରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି ।

ସମାଚାର ଏଜେନ୍ସିର ରିପୋର୍ଟ ଅନୁଯାୟୀ, ବନ୍ୟା ଓ ଭୂସ୍ଖଳନରେ ୧୪୧ଜଣଙ୍କ ମୃତ୍ୟୁ ହୋଇଛି । ହେଲେ ସରକାରୀ ରିପୋର୍ଟ ଅନୁଯାୟୀ ଏହି ସଂଖ୍ୟା ୧୨୦ । ଏହି ରିପୋର୍ଟକୁ କ୍ରସ୍ ଚେକ୍ କରିବାର ଆବଶ୍ୟକତା ରହିଛି ବୋଲି କାଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଜାତୀୟ ରାଜପଥରେ ବଡ଼ ଗାତ ସୃଷ୍ଟି ହୋଇଥିବାରୁ ଯାତାୟାତ ନକରିବାକୁ ସରକାରଙ୍କ ପକ୍ଷରୁ ଲୋକଙ୍କ ସତର୍କ କରାଯାଇଛି ।

ଜଳବାୟୁ ପରିବର୍ତ୍ତନ ଯୋଗୁ କାଙ୍ଗରେ ବାଦଳ ଫଟା ବର୍ଷା ହୋଇଛି । ଫଳରେ କାଙ୍ଗ ନଦୀରେ ଏତେ ବଡ଼ ବନ୍ୟା ଆସିଛି । ଅନ୍ୟପଟେ ଦ୍ରୁତ ସହରୀକରଣ ପାଇଁ ବର୍ଷା ଜଳ ସଠିକ୍ ଭାବେ ରାଜଧାନୀରୁ ନିଷ୍କାସିତ ହେଇପାରୁନାହିଁ। ତେଣୁ ଗମ୍ଭୀର ବନ୍ୟା ସ୍ଥିତି ଉପୁଜିଛି ବୋଲି ଅନୁମାନ କରାଯାଉଛି ।

୨୦୧୯ରେ  କଂଶାସରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ପ୍ରାୟ ୩୯ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.