ଛତିଶଗଡ ଯୋଗୁଁ ମହାନଦୀରେ ବନ୍ୟା ଆଶଂକା ସୃଷ୍ଟି ହୋଇଛି ବୋଲି ବିଜେଡିର ମନ୍ତବ୍ୟ: ବିରୋଧୀ କଲେ ସମାଲୋଚନା

Published By : Prameya-News7 Bureau | August 29, 2018 IST

ଭୁବନେଶ୍ବର୨୯|୮: ମହାନଦୀ ଶୁଖିଲା ଥିଲା ବେଳେ କୂଳ ଲଂଘୁ ଥିଲା ରାଜନୀତି । ଆଉ ଏବେ ମହାନଦୀ କୂଳ ଲଂଘୁଥିବା ବେଳେ ମଧ୍ୟ ଥମୁନି ରାଜନୀତି । ମହାନଦୀରେ ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ଛତିଶଗଡ଼କୁ ସିଧା ଦାୟୀ କରିଛି ବିଜେଡି । ଶାସକ ଦଳର ଏଭଳି ଆଭିମୁଖ୍ୟକୁ ବିରୋଧୀ କିନ୍ତୁ ତୀବ୍ର ସମାଲୋଚନା କରିଛନ୍ତି । ଶୁଖିଲା ବେଳେ ଯାହା ଥିଲା ଉଛୁଳା ବେଳେ ମଧ୍ୟ ସେୟା । ମହାନଦୀରେ ସମ୍ଭାବ୍ୟ ବନ୍ୟା ସ୍ଥିତି ପାଇଁ ଛତିଶଗଡ଼କୁ କାଠଗଡ଼ାରେ ଠିଆ କରାଇଛି ବିଜେଡି । ଛତିଶଗଡ଼ର ମନଇଚ୍ଛା ଜଳ ନିଷ୍କାସନ ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ଡ଼ିଶାକୁ ନପଚାରି, ଛତିଶଗଡ଼ ମହାନଦୀରେ ବନ୍ୟା ସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ କରିଛି ବିଜେଡି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଗଣ ମାଧ୍ୟମ ଆଗରେ ବିଷୋଦ୍‌ଗାର କରିଛନ୍ତି । ସେପଟେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍, ନରାଜ ଯାଇ ମହାନଦୀରେ ବନ୍ୟା ପାଣି ଅନୁଧ୍ୟାନ କରିଛନ୍ତି । ମହାନଦୀକେ କେତେବେଳେ କେତେ ପାଣି ଆସିବା ଦରକାର, ଓଡ଼ିଶା ଓ ଛତିଶଗଡ଼ ସରକାର ବସି ସ୍ଥିର କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଛତିଶଗଡ଼ ପଟୁ ମହାନଦୀରେ ଭୁଶୁ ଭୁଶୁ ହୋଇ ପାଣି ପଶୁଥିବା ବେଳେ ହୀରାକୁଦ ଖୋଲିଛି ୨୫ ଗେଟ୍ । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳି ନିକଟରେ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ । ବନ୍ୟା ଆଶଙ୍କାରେ ୧୧ଟି ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି ସରକାର । ଯେଉଁଥି ପାଇଁ ବିଜେଡି, ଛତିଶଗଡ଼କୁ ଦାୟୀ କରୁଛି । ବିରୋଧୀ କିନ୍ତୁ ଶାସକ ଦଳର ଏଭଳି ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି । ପିସିସି ଅଧ୍ୟକ୍ଷ ନିରଂଜନ ପଟ୍ଟନାୟକ ଏବଂ ବିଜେପି ନେତା ସମୀର ମହାନ୍ତି ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି । ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ଏ କଥା ସମସ୍ତେ ଜାଣନ୍ତି । କିନ୍ତୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ, ମହାନଦୀ ସମସ୍ୟାର ସମାଧାନ ପରିବର୍ତ୍ତେ ପରସ୍ପର ବିରୋଧରେ ପଏଣ୍ଟ ସ୍କୋର୍ କରିବାରେ ଲାଗିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.