ବାତ୍ୟା ପରେ ଅଧା ଓଡିଶାରେ ବନ୍ୟା ସ୍ଥିତି: ବିଭିନ୍ନ ସ୍ଥାନରେ ୧୦ ମୃତ, ଲୋକେ ହନ୍ତସନ୍ତ

Published By : Prameya-News7 Bureau | October 12, 2018 IST

ଭୁବନେଶ୍ବର ୧୨|୧୦: ଅଧା ଓଡ଼ିଶାରେ ପ୍ରକୋପ ଦେଖଇଛି ସାମୁଦ୍ରିକ ଝଡ଼ ତିତ୍‌ଲି । ବିଶେଷ କରି ଗଞ୍ଜାମ. ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।  ତିତ୍‌ଲିର ପ୍ରକୋପରୁ ଟ୍ବିନସିଟି କଟକ, ଭୁବନେଶ୍ବର ମଧ୍ୟ ବାଦ୍‌ ପଡ଼ିନି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପାଣି ଗାଁକୁ ପଶିଛି, ଫଳରେ ଅନେକ ଅଞ୍ଚଳ ପାଣି ଘେରରେ ରହିଛି ।… ତିତ୍‌ଲି ଦେଖାଇଛି ପ୍ରକୋପ । ଛିନ୍‌ଛତ୍ର କରିଦେଇଛି ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲା । ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଛି । ଆସ୍କା, ପୁରୁଷୋତ୍ତମପୁର, ଛତ୍ରପୁର ଏବଂ ଗଞ୍ଜାମର ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ । ହିଞ୍ଜିଳିକାଟୁ, ଦିଗପହଣ୍ଡି, ଭଞ୍ଜନଗର, ସାନଖେମୁଣ୍ଡିର ଅନେକ ଗାଁ ପାଣି ଘେରରେ ।… ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବଢୁଛି । ଋଷିକୁଲ୍ୟା, ଘୋଡାହାଡ, ବଡ଼ନଦୀ, ବାଘୁଆ, ଲହରିଖଣ୍ଡି, ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଉଛି । ବାହୁଦା ନଦୀରେ ବନ୍ୟା ଜଳ ଆସିବାରୁ ବ୍ରହ୍ମପୁରରୁ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି । ସେହିପରି ପାତ୍ରପୁର, ସୁରଙ୍ଗି, ପାରଳାଖେମୁଣ୍ଡିକୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ବ୍ରହ୍ମପୁର-ରାୟଗଡା-ଗୁଣୁପୁର, ଆସ୍କା-ବ୍ରହ୍ମପୁର, ଚିକିଟି-ନୂଆପଡା, ପୁରୁଷୋତ୍ତମପୁର-ବ୍ରହ୍ମପୁର, ଭଞ୍ଜନଗର-ସୋରଡା ଯାତାୟତ ବନ୍ଦ ରହିଛି । ଗଞ୍ଜାମରେ ୬ଟି ଏନଡିଆରଏଫ, ୬ଟି ଓଡ୍ରାଫ ଟିମ୍ ନିୟୋଜିତ ଅଛନ୍ତି । ଓଡ୍ରାଫ ଟିମ୍ ଓ ପୋଲିସ ସହାୟତାରେ ପାଖାପାଖି ୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବିଶାଖାପଟ୍ଟନମରୁ ୨ଟି ନାଭାଲ ହେଲିକପ୍ଟର ମଗାଯାଇଛି ।… ରାୟଗଡାରେ ସର୍ବାଧିକ ୫୯୨ ମିଲିମିଟର ବର୍ଷା । ବଂଶଧାରା ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ଅନେକ ଗାଁ ଜଳବନ୍ଦୀ । … ରାୟଗଡ଼ାରେ ଉପୁଡ଼ିଯାଇଛି ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ । କେଉଁଠି ଘରକାନ୍ଥ ଖସି ପଡ଼ିଛି ତ ଆଉ କେଉଁଠି ଉଡାଇନେଇଛି ଛପର । ରାସ୍ତା ବନ୍ଦ, ଜଳଯୋଗାଣ ବନ୍ଦ, ଠପ ହୋଇଯାଇଛି ବିଦ୍ୟୁତ୍ ସବରାହ। ରାୟଗଡ଼ା ସହର ସମେତ ଜକେପୁର, ପିତାମହଲ, କରେଡା ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ତିତଲି । ଗତକାଲିଠାରୁ ସହରରେ ଜଳ ଯୋଗାଣ ବନ୍ଦ ଥିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଯାଇଛି।… ଗଜପତିରେ ମଧ୍ୟ ସ୍ଥିତି ସଙ୍ଗୀନ ।  ଅନେକ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ । ୧୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । କାନ୍ଥପଡ଼ି ଜିଲ୍ଲାରେ ୩ ଜଣ ପ୍ରାଣ ହରାଇଛନ୍ତି । ଏଠି ଉଦ୍ଧାର କାର୍ଯ୍ୟରେ ୪ଟି ଏନଡିଆରଏଫ ଟିମ୍ ନିୟୋଜିତ ଅଛନ୍ତି । କନ୍ଧମାଳ ଜିଲ୍ଲାରେ ମଧ୍ୟ ତାଣ୍ଡବ ରଚିଛି ତିତ୍‌ଲି । ଫୁଲବାଣୀ, ବାଲିଗୁଡା, କୋଟପଡା, ଦାରିଙ୍ଗବାଡି, ଜି.ଉଦୟଗିରି ସର୍ବାଧିକ ପ୍ରଭାବିତ ହୋଇଛି । କାନ୍ଥ ପଡ଼ି ଏବଂ ବନ୍ୟା ଜଳରେ ଭାସି ୨ ଜଣ ପ୍ରାଣ ହରାଇଛନ୍ତି । ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ବନ୍ଦ । ସିରିକି ଡ୍ୟାମର କଲଭର୍ଟ ଭାଙ୍ଗିବାରୁ ଅନେକ ଜଳବନ୍ଦୀ । ଦାରିଙ୍ଗବାଡି ଘାଟିରେ ମାଟି ଅତଡା ଧସି ଜାତୀୟ ରାଜପଥ ଅବରୋଧ ହୋଇଛି । ରାଇକିଆ-ସିମନବାଡି, ଦାରିଙ୍ଗବାଡିରୁ ରାଇକିଆ ଯୋଗାଯୋଗ ହୋଇଛି ବିଚ୍ଛିନ୍ନ ।… ପ୍ରବଳ ବର୍ଷା ଯୋଗୁଁ ଭୁବନେଶ୍ବରର ତଳିଆ ଅଞ୍ଚଳରେ ଜମିଛି ପାଣି । ଫଳରେ ରାଜଧାନୀ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କଟକରେ ମଧ୍ୟ ସ୍ଥିତି ଅସମ୍ଭାଳ ହୋଇଛି । ତଳିଆ ଅଞ୍ଚଳରେ ପାଣି ପଶିଛି । ରାଉସାପାଟଣା, ଲୁଣିଆ ସାହି, ଝାଞ୍ଚିରିମଙ୍ଗଳା, ସାଆନ୍ତସାହି, ସୂତାହାଟ, ଗଙ୍ଗାମନ୍ଦିର, ଷ୍ଟୁଆଟପାଟଣା, ବାଦାମବାଡିରେ ପାଣି ଜମି ରହିଛି ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.