ନୂଆଦିଲ୍ଲୀ, ୦୪/୦୧: ଇ-କମର୍ସ ଓ୍ବେବସାଇଟ୍ରୁ ଅର୍ଡର କରିବା ବେଶ୍ ସହଜ ହୋଇଥାଏ। ଅନେକ ସମୟରେ ଗ୍ରାହକଙ୍କୁ ବିଭିନ୍ନ ଅଫର ମଧ୍ୟ ଦେଇଥାନ୍ତି ଏହି କମ୍ପାନୀମାନେ। ଏହି କମ୍ପାନୀମାନେ ପ୍ରିପେଡ୍ ପେମେଣ୍ଟ ସୁବିଧା ମଧ୍ୟ ଦେଇଥାନ୍ତି। ଅନେକ ସମୟରେ ବିଭିନ୍ନ କାରଣରୁ ପ୍ରିପେଡ୍ ପେମେଣ୍ଟରେ ଅସୁବିଧା ହୋଇଥିବାର ମଧ୍ୟ ଦେଖାଯାଇଛି। କିନ୍ତୁ ଏଠାରେ କିଛି ଅଲଗା କଥା ଦେଖିବାକୁ ମିଳିଛି। ପ୍ରକୃତରେ ଇ-କମର୍ସ ଓ୍ବେବସାଇଟ୍ ଫ୍ଲିପକାର୍ଟ ଗ୍ରାହକଙ୍କଠାରୁ ପ୍ରିପେଡରେ ଟଙ୍କା ତ’ ନେଇଥିଲା କିନ୍ତୁ ସାମଗ୍ରୀ ପହଞ୍ଚାଇନଥିଲା। ଯାହାକୁ ନେଇ ଗ୍ରାହକ ଅଭିଯୋଗ କରିଥିଲେ। ଆଉ ଏବେ କମ୍ପାନୀଙ୍କୁ ଗ୍ରାହକଙ୍କୁ ସାମଗ୍ରୀର ଦାମ୍ ସହ ପ୍ରାୟ ୪୨ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିଛି।
'ଫ୍ଳିପକାର୍ଟ'କୁ ମହଙ୍ଗା ପଡ଼ିଛି ତାର ମନମାନି। ବେଙ୍ଗାଲୁରୁର ଉପଭୋକ୍ତା ସମସ୍ୟା ନିରାକରଣ ଆୟୋଗଙ୍କ ପାଖରେ ଜଣେ ଗ୍ରାହକଙ୍କ ଅଭିଯୋଗ କ୍ରମେ ଏହି ଜରିମାନା ବା ଫାଇନ ଲାଗୁ କରାଯାଇଛି। ସୂଚନାଥାଉକି, ଗ୍ରାହକ ଜଣଙ୍କ ମୋବାଇଲ କିଣିବା ପରେ ସମ୍ପୁର୍ଣ୍ଣ ଟଙ୍କା ଆଗୁଆ ପୈଠ କରିଥିଲେ ମଧ୍ୟ ଅର୍ଡର ଡେଲିଭରି ହୋଇନଥିଲା।
ସୂଚନାଥାଉକି, ବେଙ୍ଗାଲୁରୁର ରାଜାଜୀନଗରର ଦିବ୍ୟାଶ୍ରୀ ଜେ.ନାମକ ଯୁବତୀ ୧୫ ଜାନୁଆରୀ ୨୦୨୨ରେ ଇ-କମର୍ସ କମ୍ପାନୀ ଫ୍ଳିପକାର୍ଟରୁ ୧୨,୪୯୯ ଟଙ୍କାରେ ଏକ ସ୍ମାର୍ଟଫୋନ୍ ଅର୍ଡର କରିଥିଲେ। ତେବେ ଅର୍ଡରଟି ତା ପର ଦିନ ଡେଲିଭରି ହେବାର ଥିଲା। କିନ୍ତୁ ଦିନ ପରେ ଦିନ ବିତିଥିଲେ ବି ଫ୍ଳିପକାର୍ଟ ପକ୍ଷରୁ କୌଣସି ଅର୍ଡର ମିଳିନଥିଲା କି ଗ୍ରାହକ ପ୍ରତିନିଧି ଦିବ୍ୟାଶ୍ରୀଙ୍କ ଅଭିଯୋଗକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ପରେ ବେଙ୍ଗାଲୁରୁର ଉପଭୋକ୍ତା ସମସ୍ୟା ନିରାକରଣ ଆୟୋଗଙ୍କ ପାଖରେ ତମାମ ସମସ୍ୟାକୁ ନେଇ ଅଭିଯୋଗ କରିଥିଲେ।
ତମାମ ମାମଲାରେ ଆୟୋଗ ତୁରନ୍ତ ବିଚାର କରି କମ୍ପାନୀ ଉପରେ ଜରିମାନା ଲାଗୁ କରିଥିଲେ । ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଫ୍ଳିପକାର୍ଟ ଗ୍ରାହକଙ୍କ କ୍ଷତି ପାଇଁ ତାଙ୍କୁ ମୋବାଇଲର ବାସ୍ତବିକ ମୁଲ୍ୟ ବାବଦକୁ ୧୨ ହଜାର ୪୯୯ ଟଙ୍କା ସହିତ ବାର୍ଷିକ ୧୨ ପ୍ରତିଶତ ସୁଧ ଟଙ୍କା, ୨୦,୦୦୦ ଟଙ୍କା ଜରିମାନା ଏବଂ ଆଇନଗତ ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗର ଅଧ୍ୟକ୍ଷା ଏମ୍. ଶୋଭା ଓ ସଦସ୍ୟା ରେଣୁକାଦେବୀ ଦେଶପାଣ୍ଡେ।