ଆସନ୍ତା ମାର୍ଚ୍ଚ ୩୧ରୁ ଝାରସୁଗୁଡା ଓ ଦିଲ୍ଲୀ ମଧ୍ୟରେ ବନ୍ଦ ହେବ ବିମାନ ସେବା

Published By : Prameya-News7 Bureau | March 21, 2024 IST

ଝାରସୁଗୁଡା ୩: ବନ୍ଦ ହେବ ଝାରସୁଗୁଡାରୁ ଦିଲ୍ଲୀ ମଧ୍ୟରେ ବିମାନ ସେବା l ଏହି ରୁଟ୍‌ରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ିବନି ଆଉ ସ୍ପାଇସଜେଟ୍ ବିମାନ l ମାର୍ଚ୍ଚ ୩୧ ତାରିଖରୁ ଦିଲ୍ଲୀକୁ ବିମାନ ସେବା ବନ୍ଦ କରୁଛି ସ୍ପାଇସଜେଟ୍ l  ହାଇଦ୍ରାବାଦ, ପାଟନା, ଚେନ୍ନାଇ, ମୁମ୍ବାଇ, ବେଙ୍ଗାଲୁରୁ ପରି ୫ଟି ରୁଟ୍‌ରୁ ଗୋଟିଏ ପରେ ଗୋଟିଏ ସେବା ଅପସାରିତ କରିଥିବା ସ୍ପାଇସଜେଟ୍ ଏବେ ଦିଲ୍ଲୀକୁ ମଧ୍ୟ ବିମାନ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି l 

ଝାରସୁଗୁଡାରୁ ଦିଲ୍ଲୀକୁ କେବଳ ସ୍ପାଇସଜେଟ୍ ଏବେ ବିମାନ ସେବା ପ୍ରଦାନ କରୁଥିବା ବେଳେ ପ୍ରତିଦିନ ଶହଶହ ସଂଖ୍ୟାରେ ଯାତ୍ରୀ ଯାତାୟାତ କରୁଛନ୍ତି l କିନ୍ତୁ ଦିଲ୍ଲୀକୁ ସ୍ପାଇସଜେଟ୍ ବିମାନ କାହିଁକି ବନ୍ଦ କରୁଛି ବୋଲି ପ୍ରଶ୍ନ କରୁଛନ୍ତି ଅଂଚଳବାସୀ l ଦିଲ୍ଲୀ ଭଳି ରୁଟରେ ବିମାନ ସେବା ବନ୍ଦ ହେଲେ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବେ l  

ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ ପରି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ସହିତ ଛତିଶଗଡ଼, ଝାରଖଣ୍ଡ ରାଜ୍ୟର ଲୋକେ ଝାରସୁଗୁଡା ବିମାନବନ୍ଦର ଉପରେ ନିର୍ଭର କରୁଛନ୍ତି l ତେଣୁ ଦିଲ୍ଲୀ ଭଳି ରୁଟରେ ଅଧିକ ବିମାନ ଚଳାଚଳ କରିବା ପରିବର୍ତ୍ତେ ବିମାନ ସେବା ବନ୍ଦ କରିବା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି l 

ଅନ୍ୟପଟେ ଦିଲ୍ଲୀକୁ ସ୍ପାଇସଜେଟ୍ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେବା ପରେ ଏଭଳି ସ୍ଥିତିରେ ଆସନ୍ତା ଗ୍ରୀଷ୍ମ ସାରଣୀରେ ସ୍ଥାନ ପାଇଥିବା ବିଶାଖାପାଟଣା  ଓ ହାଇଦ୍ରାବାଦ ରୁଟ୍‌ରେ ସ୍ପାଇସଜେଟ୍‌ ଆଉ ବିମାନ ଚଳାଚଳ କରିବ ନା ନାହିଁ ସେନେଇ ଦ୍ୱନ୍ଦ୍ୱ ଦେଖାଦେଇଛି l ସ୍ପାଇସଜେଟ୍ ପକ୍ଷରୁ ଦିଲ୍ଲୀକୁ ମାର୍ଚ୍ଚ ୩୧ରୁ ବିମାନ ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏଲାୟନ୍ସ ଏୟାର ଭୁବନେଶ୍ୱର କୁ ସପ୍ତାହକୁ ୪ ଦିନ ଏବଂ ଇଣ୍ଡିଗୋ ବେଙ୍ଗାଲୁରୁ ଏବଂ କୋଲକତାକୁ ପ୍ରତିଦିନ ବିମାନ ସେବା ପ୍ରଦାନ ଜାରି ରଖିବ l

 You Can Read:

ଶ୍ରୀମନ୍ଦିରରେ ବିଜେଡିର ବରିଷ୍ଠ ନେତା, ଆଗାମୀ ନିର୍ବାଚନରେ ଭଲ ପ୍ରଦର୍ଶନ ନେଇ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.