କୋଭିସିଲ୍ଡର ଦୁଇ ଡୋଜ୍ ଟିକା ନେଇସାରିଛନ୍ତି କି ? ତେବେ ଯାଇପାରିବେ ଦୁବାଇ, ଆରମ୍ଭ ହେଉଛି ବିମାନ ସେବା

Published By : Prameya-News7 Bureau | June 23, 2021 IST

ନୂଆଦିଲ୍ଲୀ ୨୩।୬: ଭାରତ ସମେତ ଅନ୍ୟ ଦେଶରୁ ଆସିବାକୁ ଥିବା ଦୁବାଇବାସିନ୍ଦା ପାଇଁ କଟକଣା କୋହଳ କରିଛି ଦୁବାଇ । ଆଜିଠାରୁ ଭାରତରୁ ଦୁବାଇ (ୟୁଏଇ)କୁ ଯାତ୍ରୀବାସୀ ବିମାନ ସେବା ଆରମ୍ଭ ହେଉଛି । ଏପରିକି ଲୋକଙ୍କୁ ୟୁଏଇ ଦ୍ବାରା ଅନୁମୋଦିତ କରୋନା ଟିକାର ଦୁଇ ଡୋଜ ନେଇଥିବା ଆବଶ୍ୟକ । ଗଲ୍ଫ ନ୍ୟୁଜ୍ ଅନୁଯାୟୀ, ଦୁବାଇର ସଙ୍କଟ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ରହିଥିବା ସର୍ବୋଚ୍ଚ କମିଟି ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ ଭାରତରୁ ଆସୁଥିବା ଯାତ୍ରୀଙ୍କୁ ନେଇ ଦୁବାଇର ଟ୍ରାଭେଲ୍ ପ୍ରୋଟୋକଲ୍ ଅନୁସରଣ କରିବାକୁ ଘୋଷଣା କରିଛି ।

ଶେଖ୍ ମାନସୁର ବିନ୍ ମହମ୍ମଦ ବିନ୍ ରସିଦ ମାସ୍ତୁମ୍ ଏହି କମିଟିର ନେତୃତ୍ବ ନେଇଥିଲେ । ଏଥି ଅନୁଯାୟୀ, ଭାରତରୁ ଦୁବାଇକୁ ଆସୁଥିବା ଏହି ଯାତ୍ରୀମାନଙ୍କୁ କେବଳ ବୈଧ ​​ଆବାସିକ ଭିସାର ଆବଶ୍ୟକତା ହେବ, ଯେଉଁମାନେ ୟୁଏଇ ଦ୍ବାରା ସ୍ବିକୃତୀପ୍ରାପ୍ତ କୋଭିଡ୍ ୧୯ ଟିକାର ଦୁଇ ଡୋଜ ନେଇସାରିଛନ୍ତି ।

ରିପୋର୍ଟ ଅନୁଯାୟୀ, ୟୁଏଇ ସରକାର ସ୍ବୀକୃତି ଦେଇଥିବା ୪ଟି ଟିକା ମଧ୍ୟରେ ସିନୋଫାର୍ମା, ଫାଇଜର-ବାୟୋଟେକ୍, ସ୍ପୁଟନିକ୍-ଭି ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା ସାମିଲ ରହିଛି । ଦୁବାଇ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଏବଂ କୋଭିସିଲ୍ଡ ଉଭୟ ସମାନ ଟିକା, ତେଣୁ ଯେଉଁ ଭାରତୀୟମାନେ କୋଭିସିଲ୍ଡର ଦୁଇ ଡୋଜ ଟିକା ନେଇସାରିଛନ୍ତି ସେମାନେ ମଧ୍ୟ ଦୁବାଇ ଯାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.