ବ୍ରିଟେନରୁ ଆସୁଥିବା ସବୁ ବିମାନ ଉପରେ ରୋକ୍ ଲଗାଇଲା ଭାରତ, କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ସରକାର ନେଲେ ପଦକ୍ଷେପ

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ,୨୧/୧୨:    ସାରା ବିଶ୍ୱରେ କରୋନା ଭାଇରସର ଭାକସିନକୁ ନେଇ ଉତ୍କଣ୍ଟା ପ୍ରକାଶ ପାଇଛି । ଅନ୍ୟ ଦିଗରେ କରୋନା ଭାଇରସର ଏକ ନୂଆ ରୂପ ଚିନ୍ତା ବଢାଇ ଦେଇଛି । ବ୍ରିଟେନରେ କରୋନା ଭାଇରସର ନୂଆ ରୂପ ସାମ୍ନାକୁ ଆସିଛି । ଯାହା ବହୁତ ବିପଦ୍ଦଜନକ । ଏହାପରେ ୟୁରୋପର ଅନେକ ଦେଶ ୟୁକେ ବା ବ୍ରିଟେନରୁ ଆସୁଥିବା ବିମାନ ଉପରେ ରୋକ ଲଗାଇଛି । ଏବେ ଭାରତ ସରକାର ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିଛନ୍ତି । ୟୁକେର ବିମାନ ଉପରେ ସରକାର କଟକଣା ଲଗାଇଛନ୍ତି ।

ସୋମବାର ରାତି ୧୨ଟାରୁ ୟୁକେର ବିମାନ ଉପରେ କଟକଣା ଲାଗୁ ହେବ । ଏହା ଡିସେମ୍ବର ୩୧ ଯାଏଁ ଜାରି ରହିବ । ବ୍ରିଟେନର ବର୍ତ୍ତମାନର ସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ସୋମବାର ଦିଲ୍ଲୀ ମୁଖ୍ୟମୱ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ବିମାନ ଉପରେ ରୋକ୍ ପାଇଁ ଦାବି କରିଥିଲେ ।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହି ମାମଲାକୁ ନେଇ ଟ୍ୱିଟ୍ କରିଥିଲେ । ସେ କହିଥିଲେ ଯେ, ୟୁକେରେ କରୋନାର ନୂଆ ରୂପ ସାମ୍ନାକୁ ଆସିଛି  । ଯାହା ଚିନ୍ତାଜନକ । ଏହା ସୁପର ସ୍ପ୍ରେଡର ଭାବେ କାମ କରୁଛି । ତେଣୁ ଭାରତ ସରକାର ୟୁକେର ସବୁ ବିମାନ ବନ୍ଦ କରିବା ଆବଶ୍ୟକ ।

ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ୍ କହିଥିଲେ ଯେ, ୟୁକେରେ କରୋନାକୁ ନେଇ ଆସିଥିବା ଖବର ଚିନ୍ତାଜନକ ଅଟେ । ଭାରତ ସରକାର ଏହି ମାମଲାରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ଅନ୍ୟ ୟୁରୋପୀୟ ଦେଶରୁ ଆସୁଥିବା ବିମାନ ବନ୍ଦ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.