କୋଲକାତା (୦୧/୧୦): ମାଂସଖିଆ ବ୍ୟାକ୍ଟେରିଆ ନେଲା ଜୀବନ। ପଶ୍ଚିମବଙ୍ଗ କୋଲକାତାରୁ ଆସିଛି ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କର ଏକ ଅଜବ ବ୍ୟାକ୍ଟରିଆ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ରୋଗୀଙ୍କୁ ନେକ୍ରୋଟାଇଜିଙ୍ଗ୍ ଫାସିସାଇଟିସ ନାମକ ବ୍ୟାକ୍ଟେରିଆ ସଂକ୍ରମଣ ହୋଇଥିଲା। ଏହାକୁ ସାଧାରଣ ଭାଷାରେ ମାଂସଖିଆ ବ୍ୟାକ୍ଟେରିଆ ବୋଲି କୁହାଯାଇଥାଏ। ଆମେରିକୀୟ ସ୍ବାସ୍ଥ୍ୟ ଏଜେନ୍ସୀ ସିଡିସିର କହିବା ଅନୁଯାୟୀ, ଏହି ବ୍ୟାକ୍ଟେରିଆର ସଂକ୍ରମଣ ଦୁର୍ଲଭ ହୋଇଥାଏ।
ସିଡିସି ଅନୁଯାୟୀ, ଏହି ବ୍ୟାକ୍ଟେରିଆ ସଂକ୍ରମଣ ଦୁର୍ଲଭ ହୋଇଥାଏ। କିନ୍ତୁ ଏହା ବେଶ୍ ମାରାତ୍ମକ। ଥରେ ଏହାର ସଂକ୍ରମଣ ହେଲେ ଏହା ଶରୀରରେ ଦ୍ରୁତ ଭାବରେ ବ୍ୟାପିଥାଏ ଏବଂ ମନୁଷ୍ୟର ମୃତ୍ୟୁ ହୋଇଥାଏ। ସମୟରେ ଜଣାପଡ଼ିଲେ ଆଣ୍ଟିବାୟୋଟିକ୍ ଦିଆଯାଇଥାଏ, କିନ୍ତୁ ଅନେକ ଥର ଔଷଧର ପ୍ରଭାବ ସେହି ସ୍ଥାନ ପର୍ଯ୍ୟନ୍ତ ହୋଇନଥାଏ ଯେଉଁଠାରେ ସଂକ୍ରମଣ ହୋଇଥାଏ। ଏଭଳି ଅବସ୍ଥାରେ ସର୍ଜରୀ କରାଯାଇଥାଏ। ସର୍ଜରୀ ପରେ ମଧ୍ୟ ଯଦି ସଂକ୍ରମଣ ନକମିଲେ, ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ କରାଯାଇଥାଏ।
ତେବେ ମାଂସ ଖାଉଥିବା ଏହି ବ୍ୟାକ୍ଟେରିଆ ସେତେବେଳେ ବ୍ୟାପିଥାଏ ଯେତେବେଳେ ଶରୀରରେ କୌଣସି ସ୍ଥାନରେ କ୍ଷତ ହୋଇଥାଏ। କ୍ଷତ ଦ୍ବାରା ଏହି ବ୍ୟାକ୍ଟେରିଆ ଶରୀରକୁ ପ୍ରବେଶ କରିଥାଏ। କୋଲକାତାରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ତାଙ୍କୁ ଟ୍ରେନରେ ଓହ୍ଲାଇବା ସମୟରେ ଆଘାତ ଲାଗିଥିଲା।
ଏହି ବ୍ୟାକ୍ଟେରିଆ ସଂକ୍ରମଣ ହେବାଦ୍ବାରା ଶରୀରରେ କିଛି ଖାସ୍ ଲକ୍ଷଣ ଦେଖାଯାଇଥାଏ। ଯାହା ଆଧାରରେ ଯାଞ୍ଚ କରାଯାଇଥାଏ। ଏହି ବ୍ୟାକ୍ଟେରିଆର ସଂକ୍ରମଣକୁ ଜାଣିବା ପାଇଁ ବାୟୋପ୍ସୀ କରାଯାଇଥାଏ। ଏହା ବ୍ୟତୀତ ସିଟି ସ୍କାନ, ଏମଆରଆଇ ଏବଂ ଅଲ୍ଟ୍ରାସାଉଣ୍ଡ୍ ମଧ୍ୟ କରାଯାଇଥାଏ।
ଏହି ସବୁ ଲକ୍ଷଣ ଦେଖାଦେଇଥାଏ:
ସଂକ୍ରମଣ ସମୟରେ ପ୍ରଭାବିତ ସ୍ଥାନ ଲାଲ୍ ପଡ଼ିବା, ଫୁଲିବା, ଯନ୍ତ୍ରଣା ହେବା ଏବଂ ଜ୍ବର ହେବା, ଚର୍ମରେ କଳା ଦାଗ ହୋଇଯିବା, ଥକ୍କା ଲାଗିବା ଏବଂ ଡାଇରିଆ ହେବା ଭଳି ଲକ୍ଷଣ ନଜର ଆସିଥାଏ। ସିଡିସି ଅନୁଯାୟୀ, ଏହି ବ୍ୟାକ୍ଟେରିଆ ସଂକ୍ରମଣ ଦୁର୍ଲଭ ହୋଇଥାଏ। କିନ୍ତୁ କ୍ୟାନ୍ସର, ଡାଇବେଟିସ୍, କିଡନୀ ଏବଂ ଲିଭର ସିରୋସିସ ରୋଗୀଙ୍କ ଠାରେ ଏହାର ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ।