ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସୀତାପୁରରେ ଚାଞ୍ଚଲ୍ୟକର ଘଟଣା । ଗୋଟିଏ ପରିବାର ୬ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତ୍ୟେକ୍ତ ଯୁବକ ନିଜ ମାଆ, ପତ୍ନୀ ଏବଂ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି । ରିପୋର୍ଟ ମୁତାବକ, ଯୁବକ ଜଣକ ନିଜ ମାଆକୁ ଗୁଳିମାରି ହତ୍ୟା କରିବା ପରେ ସ୍ତ୍ରୀକୁ ଏକ ହାତୁଡ଼ିରେ ମାରି ଜୀବନ ନେଇଛି । ଏହାପରେ ଅଭିଯୁକ୍ତ ନିଜ ୩ ପିଲାଙ୍କୁ ନିର୍ମମ ଭାବେ ଛାତରୁ ଫିଙ୍ଗି ଦେଇଥିଲା । ଛାତରୁ ପଡ଼ିବା ପରେ ସେମାନଙ୍କ ମୃତ୍ୟୁ ହୋଇଛି । ଏହାଛଡ଼ା ଯୁବକ ଜଣକ ନିଜକୁ ମଧ୍ୟ ମାରି ଦେଇଛି । ଏହି ଘଟଣା ଘଟିଛି ମଥୁରା ଥାନାର ପହ୍ଲାପୁର ଗାଁରେ ।
ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଅଭିଯୁକ୍ତ ଜଣକ ନିଶାଶକ୍ତ ଅବସ୍ଥାରେ ଥିବା ଏବଂ ମାନସିକ ଭାବେ ବିବ୍ରତ ଥିଲା । ପହ୍ଲାପୁରର ବିରେନ୍ଦ୍ର ସିଂହଙ୍କ ପୁଅ ଅନୁରାଗ ସିଂହ ଶୁକ୍ରବାର ରାତିରେ ଏଭଳି ଘଟଣା ଭିଆଇଛି । ମାନସିକ ଚାପଗ୍ରସ୍ତଥିବା ଅନୁରାଗ ନିଜ ମାଆ, ସ୍ତ୍ରୀ ଓ ତିନି ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗ୍ରାମବାସୀ ଜାଣିବା ପରେ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ ।
ସୀତାପୁର ଏସଏସପି ଚକ୍ରେଶ ମିଶ୍ରା କହିଛନ୍ତି, ସୂଚନା ମିଳିବା ପରେ ରାମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ ମାନସିକ ଚାପଗ୍ରସ୍ତ ଥିବା ଅନୁରାଗ ନିଶାଶକ୍ତ ଅବସ୍ଥାରେ ପରିବାର ୫ଜଣଙ୍କୁ ହତ୍ୟା କରିବା ପରେ ନିଜ ମାରି ଦେଇଛି । ତେବେ କେଉଁ କାରଣ ଯୁବକ ଏଭଳି ଘଟଣା ଭିଆଇଲା ପୋଲିସ ତାହାର ତଦନ୍ତ କରୁଛି ।