ବ୍ରହ୍ମପୁର ୧୯।୭: ବ୍ରହ୍ମପୁର ବଡ଼ ମେଡିକାଲର ଡାକ୍ତର ରୋଗୀଙ୍କୁ ଘରୋଇ କ୍ଲିନିକକୁ ନେବା ପାଇଁ କହିବା ଏବଂ ପରବର୍ତ୍ତୀ ସମୟରେ ଘରୋଇ କ୍ଲିନିକ୍ରେ ରୋଗୀଙ୍କ ମୃତ୍ୟୁ ହେବା ଘଟଣାରେ ଏମକେସିଜି ମେଡିକାଲର ୫ ଜଣିଆ କମିଟିର ତଦନ୍ତ ଆରମ୍ଭ ହୋଇଛି । ବିଭିନ୍ନ ବିଭାଗର ଡାକ୍ତର, ମେଡିକାଲ ରେଜିଷ୍ଟର, ସୁପରିଟେଣ୍ଡେଣ୍ଟ ତଦନ୍ତ କରୁଛନ୍ତି । ବଡ଼ ମେଡିକାଲ ଡାକ୍ତର ଘରୋଇ କ୍ଲିନିକକୁ ନେବା ପାଇଁ କହିଥିଲେ । ଘରୋଇ କ୍ଲିନିକ୍ରେ ମୃତ୍ୟୁ ହୋଇଥିବା ନେଇ ପରିବାରବର୍ଗ ଅଭିଯୋଗ କରିଛନ୍ତି । ଡାକ୍ତରଙ୍କ ନିର୍ଦ୍ଦେଶରେ ଆସିଥିଲେ । ଚିକିତ୍ସା ଅବହେଳା କରିବାରୁ ବଳରାମ ଗୌଡ଼ଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାରବର୍ଗ ଅଭିଯୋଗ କରିଥିଲେ ।
ଗୋଇଲୁଣ୍ଡି ଛକ ସ୍ଥିତ ଏକ ଘରୋଇ କ୍ଲିନିକ୍ରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏମକେସିଜି ମେଡିକାଲ କାଜୁଆଲଟିରେ କାର୍ଯ୍ୟ କରୁଥିବା ଡା. ଦିଲ୍ଲୀପ ପ୍ରଧାନ କୁଆଡେ ବଳରାମଙ୍କୁ ମେଡିକାଲରେ ଚିକିତ୍ସା କରିବା ପରିବର୍ତ୍ତେ ଘରୋଇ ମେଡିକାଲ ବିନାୟକ ନର୍ସିଂହୋମ୍କୁ ନେବାକୁ କହିଥିଲେ ବୋଲି ପରିବାରବର୍ଗ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମେଡିକାଲର ୫ ଜଣିଆ କମିଟି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏମକେସିଜି ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ଦୁର୍ଗା ମାଧବ ଶତପଥୀ କହିଛନ୍ତି ।